ସ୍ବାମୀ ଠାରୁ ଅଲଗା ହେବେ ହଲିଉଡ ଅଭିନେତ୍ରୀ ପାମେଲା ଆଣ୍ଡରସନ

ନୂଆଦିଲ୍ଲୀ ୨୨।୦୧ : ବିବାହ ଓ ବିଚ୍ଛେଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ପାମେଲା । ଏବେ ପୁଣି ଥରେ ତାଙ୍କ ୫ମ ବିବାହକୁ ନେଇ ଚର୍ଚ୍ଚା ପାଲଟିଛନ୍ତି । ପୁଣି ଥରେ ସ୍ବାମୀ ଠାରୁ ଅଲଗା ହେବେ ହଲିଉଡର ଜଣାଶୁଣା ଅଭିନେତ୍ରୀ ପାମେଲା ଆଣ୍ଡରସନ  । ୫୪ ବର୍ଷିୟା ପାମେଲା ନିଜ ବଡିଗାର୍ଡ ଡ୍ୟାନ ହେହର୍ଷ୍ଟଙ୍କୁ ୨୦୨୦ ମସିହା ବିବାହ କରିଥିଲେ। କିନ୍ତୁ ବିବାହଟି ବେଶି ଦିନ ତିଷ୍ଠି ପାରିଲା ନାହିଁ। ଶୁଣିବାକୁ ମିଳୁଛି ଯେ ପାଲେମା ନିଜ ଦେଶ କାନାଡାରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ଦୁହେଁ ଅଲଗା ରହୁଛନ୍ତି । ଲକ୍‌ଡାଉନ୍‌ ସମୟରେ ପାମେଲା ନିଜ ବଡିଗାର୍ଡଙ୍କ ପ୍ରେମରେ ପଡ଼ିଥିଲେ। ଏହାପରେ ୨୦୨୦ ଖ୍ରୀଷ୍ଟମାସରେ ହେହର୍ଷ୍ଟଙ୍କ ସହ ବିବାହ କରିଥିଲେ। ହେଲେ ପୂର୍ବରୁ ପାମେଲା ୧୯୯୫ ମସିହାରେ ମ୍ୟୁଜିସିଆନ ଟମି ଲିଙ୍କୁ ମାତ୍ର ୪ ଦିନର ଜଣାଶୁଣା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କର ୨ଟି ପୁତ୍ର ସନ୍ତାନ ମଧ୍ୟ ରହିଛି ।  କିନ୍ତୁ ତାହା ୧୯୯୮ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ। ସେହି ବର୍ଷ ପାମେଲା ମରକ୍ୟୁସ୍‌ ସ୍କେନେବର୍ଗ ନାମକ ବ୍ୟକ୍ତିଙ୍କୁ  ବିବାହ କରିଥିଲେ।  ତାହା ମଧ୍ୟ ବେଶି ଦିନ ତିଷ୍ଠି ପାରି ନଥିଲା ୨୦୦୧ ମସିହାରେ ଉଭୟଙ୍କର ଛାଡପତ୍ର ହୋଇଥିଲା । ଏହାପରେ ସେ ଆମେରିକାନ ସିଙ୍ଗର କିଡ ରକ୍‌ଙ୍କୁ ୨୦୦୬ ମସିହାରେ ବିବାହ କଲେ। ସେହି ସମ୍ପର୍କରେ ମଧ୍ୟ ପାଟ ସୃଷ୍ଟି ହୋଇଥିଲା । ଏହାପରେ ୨୦୦୭ ମସିହାରେ ସେ ଫିଲ୍ମ ମେକର ରିକ୍‌ ସଲୋମନଙ୍କୁ ବିବାହ କରିଥିବା ବେଳେ ୨୦୦୮ ମସିହାରେ ଉଭୟ ଅଲଗା ହୋଯାଇଥିଲେ। ପରେ ଫ୍ରେଞ୍ଚ ଫୁଟବଲର ଆଡିଲ ରାମିଙ୍କ ସହ ୨ ବର୍ଷ ରିଲେସନ୍‌ରେ ରହିଲେ। ୨୦୧୯ରେ ଅଲଗା ରାସ୍ତା ବାଛିଥିଲେ। ସବୁଠାରୁ ବଡ କଥା ହେଲା ହଲିଉଡ ପ୍ରଡ୍ୟୁସର ଜନ୍‌ ପିଟର୍ସଙ୍କୁ ୨୦୨୦ରେ ବିବାହ କରିଥିବା ବେଳେ ତାହା ମାତ୍ର ୧୨ ଦିନ ତିଷ୍ଠିଥିଲା। ଏହାପରେ ସେ ଡ୍ୟାନ ହେହର୍ଷ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମଧ୍ୟ  ଏବେ ଶୁଣିବାକୁ ମିଳୁଛି ଯେ ଦୁହେଁ ଅଲଗା ହୋଇଛନ୍ତି ।

Leave A Reply

Your email address will not be published.