ପ୍ରାର୍ଥୀପତ୍ର ଦାଖଲ ପାଇଁ ଦ୍ୱିତୀୟ ସୂଯୋଗ, ୪୦୦୦ ରୁ ଅଧିକ ୱାର୍ଡରେ ହୋଇନାହିଁ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର, ଜାନୁଆରୀ ୨୪ : ୱାର୍ଡ ଏବଂ ସରପଞ୍ଚ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ପଦବୀ ପାଇଁ ନାମାଙ୍କନ ଦାଖଲର ଦ୍ୱିତୀୟ ସୂଯୋଗ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । ପଞ୍ଚାୟତ ନିର୍ବାଚନ ବେଳେ ଯେଉଁଠି ପ୍ରାର୍ଥୀପତ୍ର କେହି ଦାଖଲ କରିନାହାନ୍ତି ବା ଯେଉଁ ଜାଗାରେ ସମସ୍ତ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ସେଠି ଆଉଥରେ ନାମାଙ୍କନ ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୭ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା ମୁତାବକ ୪୦୦୦ ରୁ ଅଧିକ ଅଞ୍ଚଳରେ ୱାର୍ଡ ସଦସ୍ୟ, ୬ ଟି ସରପଞ୍ଚ ପ୍ରାର୍ଥୀ ନାହାଁନ୍ତି, ୭ ଟି ସମିତି ସଦସ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇନାହିଁ । ଜାନୁଆରୀ ୨୯-୩୧ ରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ । ଯାଞ୍ଚ ପ୍ରକ୍ରିୟା ଫେବୃୟାରୀ ୧ ତାରିଖ ଏବଂ ୪ ତାରିଖରେ ଚୂଡାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରକାଶିତ ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକାରେ ମୋଟ ୨ ଲକ୍ଷ ୨୦ ହଜାର ୪୧୪ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଥିଲେ । ସେଥୁରୁ ୱାର୍ଡମେମ୍ବର ପାଇଁ ୧ ଲକ୍ଷ ୫୬ ହଜାର ୭୫୩, ସରପଞ୍ଚ ପାଇଁ ୩୨ ହଜାର ୮୬୦, ସମିତି ସଭ୍ୟ ପାଇଁ ୨୭ ହଜାର ୩୪ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ ହଜାର ୭୬୭ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।ତେବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ୍ ହୋଇଯାଇଥିଲା । ଏଥିରେ ୱାର୍ଡ ମେମ୍ବର ପାଇଁ ୫୫୪୪ ଜଣ, ସରପଞ୍ଚ ପାଇଁ ୧୭୫୩, ପଞ୍ଚାୟତ ସମିତି ପାଇଁ ୧୧୧୯ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୩୨ ଜଣ ରହିଥିଲେ।

Leave A Reply

Your email address will not be published.