ରାଜସ୍ଥାନରେ ବଢ଼ିଚାଲିଛି ମହିଳା ବିରୋଧୀ ହିଂସା: ପୁଣି ନାବାଳିକାକୁ ଦୁଷ୍କର୍ମ

ଜୟପୁର, ଜାନୁଆରୀ ୨୭ : ରାଜସ୍ଥାନରେ ମହିଳାଙ୍କ ବିରୋଧରେ ହିଂସା ବଢ଼ିଚାଲିଛି। ଚଳିତ ମାସରେ ଏକାଧିକ ଦୁଷ୍କର୍ମଜନିତ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇସାରିଛି। ରାଜ୍ୟ ସରକାରଙ୍କ କ୍ରୀୟାଶୀଳ ହୋଇପାରୁ ନଥିବାରୁ ରାଜ୍ୟରେ ହିଂସା ବଢିବାରେ ଲାଗିଛି। ଡୁଙ୍ଗରପୁରରେ ଜଣେ ୯ମ ଶ୍ରେଣୀ ଛାତ୍ରୀ ତା’ର ସ୍କୁଲରେ ପଢୁଥିବା ୨ ଜଣ ଛାତ୍ରଙ୍କ ଦ୍ବାରା ପ୍ରଥମେ ଅପହରଣ ହେବା ପରେ ଗଣଦୁଷ୍କର୍ମର ଶିକାର ହୋଇଛି। ଏସ୍‌ପି ରାକେଶ କୁମାର ଶର୍ମା ଗଣମାଧ୍ୟମକୁ ଏହା କହିଛନ୍ତି। ପୀଡିତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମକୁ ଶ୍ରୀ ଶର୍ମା କହିଛନ୍ତି ଯେ, ଗଣଦୁଷ୍କର୍ମ ନେଇ ମଙ୍ଗଳବାର ବିଛିୱାରା ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣା ସୋମବାର ଘଟିଥିଲା। ୯ମ ଶ୍ରେଣୀ ଝିଅକୁ ୨ ଜଣ ବାଳକ ଅପହରଣ କରିଥିଲେ। ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ପୀଡିତାର ବୟାନ ଅନୁସାରେ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ କରାଯାଉଛି।  ସୂଚନାଯୋଗ୍ୟ, ଦିବ୍ୟାଙ୍ଗ କିଶୋରୀଙ୍କୁ ଅଲୱରରେ ଦୁଷ୍କର୍ମ ହୋଇଥିବା ଘଟଣାକୁ ଲୋକେ ଭୁଲି ନାହାନ୍ତି। ବାରାଂରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କୁ ତାନ୍ତ୍ରିକ ଓ ତାର ସହଯୋଗୀ ଦ୍ବାରା ଅପହରଣ କରାଯାଇଛି। ଘର ଠାରୁ ୨ କିମି ଦୂରରେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ଏକ ସପ୍ତାହ ପୂର୍ବରୁ ଘଟିଥିଲେ ବି ପୋଲିସ ସୋମବାର ମାମଲା ରୁଜୁ କରିଛି। 

Leave A Reply

Your email address will not be published.