ଧାନବସ୍ତା ଚୋରି ପଡିଲା ମହଙ୍ଗା

ନୟାଗଡ ୨୯।୧: ଧାନବସ୍ତା ଚୋରି କରି ହଟହଟା ହେଲେ ଦୁଇ ଯୁବକ । ଦୁଇ ଯୁବକଙ୍କୁ ଧରି ଗାଁ ଦାଣ୍ଡରେ ବାନ୍ଧିଲେ ଗ୍ରାମବାସୀ । ନୟାଗଡ ସଦରଥାନା ସଠିଆପଲ୍ଲି ଗାଁରେ ଶନିବାର ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ସଠିଆପଲ୍ଲି ଗାଁର ଚୟା ବେହେରା ନିଜ ଖଳାବାଡ଼ିରେ ୧୨ବସ୍ତା ଧାନ ରଖିଥିଲେ । ଭୋରରୁ ଧାନ ବସ୍ତା ନଥିବା ଦେଖି ଚକିତ ହୋଇଯାଇଥିଲେ । ତେବେ ଖଳା ବାଡିରେ ପଡିଥିବା ଗାଡି ଚକା ଚିହ୍ନକୁ ଦେଖି ତାଙ୍କର ସନ୍ଦେହ ହୋଇଥିଲା । ଘରଠାରୁ ଅଳ୍ପ କିଛି ଦୂରରେ ଖୁଣ୍ଟୁବନ୍ଧ ଗାଁର ଜେଲ୍ ପାଖ ସାହିର ଏକ ଘର ପାଖରେ ଧାନ ପଡିଥିବା ଦେଖିଥିଲେ । ଗାଁ ଲୋକଙ୍କ ସହାୟତାରେ ସେହି ଘରକୁ ଖୋଲିବା ପରେ ତାଙ୍କର ସମସ୍ତ ଧାନବସ୍ତା ଥିବା ଦେଖିଥିଲେ । ସେଠାରେ ଥିବା ଦୁଇ ଯୁବକ ମନୋଜ ବେହେରା ଏବଂ ସନ୍ତୋଷ ବେହେରାଙ୍କୁ ଲୋକମାନେ ଧରି ଗାଁ ଦାଣ୍ଡରେ ବାନ୍ଧି ଦେଇଥିଲେ । ଏହି ଦୁଇ ଜଣ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ସେମାନେ ଚୋରି କରିଥିବା ଗ୍ରାମବାସୀଙ୍କ ଆଗରେ ସ୍ବୀକାର କରିଛନ୍ତି । ତେବେ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଗାଁରେ ସମାଧାନ କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.