WHOର ନକ୍ସାରେ ପାକ୍‌-ଚୀନର ଅଂଶବିଶେଷ ଦେଖାଗଲା ଜମ୍ମୁ କଶ୍ମୀର

ନୂଆଦିଲ୍ଲୀ, ଜାନୁଆରୀ ୩୧ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିଜର ନକ୍ସାରେ ଜମ୍ମୁ କଶ୍ମୀରକୁ ପାକିସ୍ତାନ ଓ ଚୀନର ଅଂଶବିଶେଷ ବୋଲି ଦର୍ଶାଇଛି । ଏହାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡ. ଶାନ୍ତନୁ ସେନ୍ କଡ଼ା ଆପତ୍ତି କରିଛନ୍ତି । ଡ. ସେନ୍ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିବା ସହ ଅନ୍ତର୍ଜାତୀୟ ମଞ୍ଚରେ ବିରୋଧ କରିବାକୁ ଦାବି କରିଛନ୍ତି । ପତ୍ରରେ ସାଂସଦ ଶ୍ରୀ ସେନ୍ ଉଲ୍ଲେଖ କରିଛନ୍ତି ଯେ, ମୁଁ ଆପଣଙ୍କ ନଜରକୁ ଆଣିବାକୁ ଚାହୁଁଛି ଯେ, କୋଭିଡର କୋଭିଡ ସ୍ଥିତି ଉପରେ ଅବଗତ ହେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟ ଦେଖିବା ବେଳେ ଏହି ନକ୍ସା ଦେଖିବାକୁ ମିଳିଥିଲା । ମୁଁ ଯେତେବେଳେ ନକ୍ସାକୁ ଜୁମ୍ କରି ଦେଖିଲି ଆଶ୍ଚର୍ଯ୍ୟ ହୋଇଗଲି । ଜମ୍ମୁ କଶ୍ମୀରକୁ ୨ଟି ଭିନ୍ନ ରଂଗରେ ଦେଖାଯାଇଛି । ଯେତେବେଳେ ମୁଁ ଭାରତର ନୀର ରଂଗର ଅଂଶରେ କ୍ଲିକ କରିବା ପରେ ଅନ୍ୟ ସ୍ଥାନରେ କ୍ଲିକ୍ କରିବାରୁ ପାକିସ୍ତାନର କରୋନା ସ୍ଥିତି ନଜରକୁ ଆସିଥିଲା । ସେହିପରି ଅନ୍ୟ ଅଂଶରେ ଚୀନର ମାନଚିତ୍ର ଦେଖିବାକୁ ମିଳିଥିଲା । ନକ୍ସାରେ ଅରୁଣାଚଳ ପ୍ରଦେଶକୁ ମଧ୍ୟ ଭାରତରୁ ଅଲଗା ଦେଖାଯାଇଛି । ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.