ମାର୍ଦ୍ଦା ଗାଁରେ ହାତୀପଲଙ୍କ ଉପଦ୍ରବ

ତେଲକୋଇ ୩୧।୧: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ମାର୍ଦ୍ଦା ଗାଁରେ ହାତୀପଲଙ୍କ ଉପଦ୍ରବ । ବିଳମ୍ବିତ ରାତିରେ ଗାଁରେ ପଶି ୧୦ ଟିକିଆ ହାତୀପଲ ଅଜୁ ବାରିକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଥିଲେ । ଘରେ ଶୋଇଥିବା ବେଳେ ହାତୀପଲ ଘର ଭାଙ୍ଗିବା ଯୋଗୁଁ ଘର ଭିତରେ ଖଟ ଉପରେ ଶୋଇଥିବା ପରିବାର ଲୋକଙ୍କ ଉପରେ କାନ୍ଥ ପଡିଥିଲା । ପରିବାର ଲୋକେ ଭଙ୍ଗା କାନ୍ଥର କଣାରେ  ହାତୀଙ୍କୁ ଦେଖି ଭୟଭୀତ ହୋଇ ବାହାରକୁ ଦୌଡ଼ି ପଳାଇ ଅଳ୍ପକେ ବର୍ତ୍ତିଯାଇଥିଲେ । ଘରେ ଥିବା ୧୦ ବସ୍ତା ଧାନକୁ ଟେକି ନେଇ ଖାଇଯାଇଥିଲେ । ଘର ଅଗଣାରେ ଥିବା କଦଳୀ ଗଛକୁ ମଧ୍ୟ ଖାଇବା ସହ ଦଳିମକଚି ନଷ୍ଟ କରିଥିଲେ । ଏହା ଦେଖି ପରିବାର ଲୋକେ ଗାଁ ଲୋକଙ୍କୁ ପାଟି କରି ଡାକିଥିଲେ । ଗାଁ ଲୋକ ଆସି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡାଇଥିଲେ । ତେବେ କ୍ଷତିଗ୍ରସ୍ତ ପରିବାରକୁ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.