ଯୌତୁକ ବାବଦକୁ ଅଧିକ ଦାବି କଲେ ଟଙ୍କା, ନମିଳିବାରୁ ୮ ମାସର ପୁଅକୁ ଧରି ସ୍ଵାମୀ ଫେରାର୍

ଭୁବନ ୦୧।୦୨: ୮ ମାସର ଶିଶୁପୁତ୍ରକୁ ଧରି ସ୍ଵାମୀ ଫେରାର୍। ଯୌତୁକ ଟଙ୍କା ନମିଳିବାରୁ ସ୍ୱାମୀ ଫେରାର ହୋଇଥିବା ନେଇ ଥାନାର ଦ୍ଵାରସ୍ଥ ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବେଲପାଳ ଗାଁର ଘଟିଛି ଏଭଳି ଘଟଣା । ଭୁବନ ଥାନା ପୋଲିସ ଏନେଇ ଅଧିକ ତଦନ୍ତ କରୁଛି। ଖବର ଅନୁଯାୟୀ, ଭୁବନ ଥାନା ବେଲପାଳ ଗାଁର ଲକ୍ଷ୍ମୀଧର ମହାରଣା ତାଙ୍କର ସାନ ଝିଅ ରଞ୍ଜୁ ମହାରଣାଙ୍କୁ କାଶୀପୁର ଗାଁର ଟସେଇ ମହାରଣାଙ୍କ ପୁଅ ପିଣ୍ଟୁ ମହାରଣାଙ୍କ ସହ ବିବାହ କରାଇଥିଲେ। ଯୌତୁକ ଟଙ୍କାକୁ ନେଇ ପିଣ୍ଟୁ ଅନେକ ସମୟରେ ରଞ୍ଜୁଙ୍କୁ ନିର୍ଯାତନା ଦେଉଥିଲେ। ଏହାପରେ ଦୁଇ ପରିବାର ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ଏହାରି ମଧ୍ୟରେ ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ଶିଶୁ ପୁତ୍ରକୁ ଧରି ରଞ୍ଜୁ ତାଙ୍କ ବାପ ଘରେ ରହୁଥିଲେ। ହେଲେ ହଠାତ୍ ସୋମବାର ସନ୍ଧ୍ୟାରେ ପିଣ୍ଟୁ ତାଙ୍କ ଶ୍ଵଶୁରଙ୍କୁ ଯୌତୁକ ବାବଦକୁ ୫୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନପାଇବାରୁ କୌଣସି ମତେ ସୁଯୋଗ ଦେଖି ପିଣ୍ଟୁ ରାତି ୮ଟାରେ ତାଙ୍କ ପୁଅ ଓ ୧୦ ହଜାର ଟଙ୍କା ଧରି ଫେରାର୍ ହୋଇଯାଇଛନ୍ତି। ଏନେଇ ସ୍ତ୍ରୀ ରଞ୍ଜୁ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଭୁବନ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.