ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀ ନିଖୋଜ : ଗାଁ ନିକଟରୁ ସ୍କୁଟି ଉଦ୍ଧାର, ଲାଗିଛି ରକ୍ତଛିଟା

ଢେଙ୍କାନାଳ ୧୭।୨: ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୁମାର ଦେଇପୁର ଗ୍ରାମର ଜଣେ ଯୁବକ ଗାଏବ ହୋଇଯାଇଛନ୍ତି । ଗାଏବ ଯୁବକ ଜଣଙ୍କ ଦୀପକ ଦାଶ । ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ ସ୍କୁଟି ଯୋଗେ ଯାଇଥିବା ବେଳେ ଦୀପକ ଆଉ ଫେରିନଥିଲେ । ଫଳରେ ତାଙ୍କ ପରିବାର ଲୋକେ ରାତିରେ ଖୋଜାଖୋଜି କରି ତାଙ୍କ ଗାଁଠାରୁ କିଛି ଦୂରରୁ ତାଙ୍କ ସ୍କୁଟି ପଡିଥିବା ଦେଖିଥିଲେ । ସ୍କୁଟିରେ ସାମାନ୍ୟ ରକ୍ତ ଛିଟା ଲାଗିଥିବା ପରିବାର ଦେଖି ତାଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ କରିଛନ୍ତି । ତେବେ ଦୀପକଙ୍କ ପତ୍ନୀ ଭାରତୀ ରଥ ସାଙ୍କୁ ଲେଇ ଗ୍ରାମପଂଚାୟତରୁ ସମିତି ସଭ୍ୟା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ପଂଚାୟତରେ ମୋଟ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ଜଣାପଡିଛି । ତେବେ ଶୁକ୍ରବାର ଭୋଟ୍ ଗ୍ରହଣ ଥିବାବେଳେ ତାଙ୍କ ସ୍ବାମୀ ନିଖୋଜ ଘଟଣାକୁ ନେଇ ଭାରତୀ ସଦର ଥାନାରେ ଅପହରଣ ସମ୍ପର୍କରେ ଏକ ଅଭିଯୋଗ କରିଛନ୍ତି । ତାଙ୍କର କାହା ସହ ଶତ୍ରୁତା ନଥିବା ଭାରତୀ କହୁଥିବା ବେଳେ ସ୍ବାମୀ ଦୀପକ କାହିଁକି ଓ କିପରି ଗାଏବ ହେଲେ ତାହା ତଦନ୍ତ ପରେ ଜଣାପଡିବ । ସେପଟେ ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.