କେକେଆରକୁ ମିଳିଲା ନୂଆ କ୍ୟାପ୍ଟେନ୍

କୋଲକାତା, ୧୭/୦୨: ଆଇପିଏଲ୍‌-୨୦୨୨ ସିଜନ ପାଇଁ କୋଲକାତା ନାଇଟ୍‌ ରାଇଡର୍ସ ବୁଧବାର ଭାରତୀୟ ବ୍ୟାଟର ଶ୍ରେୟସ୍‌ ଆୟରଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଛି । ସେ ପୂର୍ବତନ ଅଧିନାୟକ ଇୟନ ମୋର୍ଗାନଙ୍କ ସ୍ଥାନ ନେଇଛନ୍ତି । ଗତ ସଂସ୍କରଣରେ ମୋର୍ଗାନଙ୍କ ଅଧିନରେ ନାଇଟ ରାଇଡର୍ସ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । କିନ୍ତୁ ଆଇପିଏଲ୍‌-୧୫ ସଂସ୍କରଣ ପାଇଁ ନାଇଟ୍‌ ରାଇଡର୍ସ ତାଙ୍କୁ ନିଲାମୀ ପାଇଁ ଛାଡ଼ିବା ପରେ ନେତୃତ୍ୱ ପରିବର୍ତ୍ତନ ନିଶ୍ଚିତ ହୋଇ ଯାଇଥିଲା । ଗତ ସପ୍ତାହ ମେଗା ଖେଳାଳି ନିଲାମରେ ଦଳ ଶ୍ରେୟସ୍‌ଙ୍କୁ କିଣିବା ପାଇଁ ଡାକ ଲଗାଇଥିଲା । ଶେଷରେ ୧୨.୨୫ କୋଟି ଟଙ୍କାରେ ତାଙ୍କୁ କିଣିଥିଲା । ସେ ଦଳର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ । ନାଇଟ୍‌ ରାଇଡର୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭେଙ୍କି ମୈସୁର କହିଛନ୍ତି, ଆଇପିଏଲ୍‌ ନିଲାମରେ ଆମେ ଦଳର ନେତୃତ୍ୱ ପାଇଁ ଶ୍ରେୟସଙ୍କୁ କିଣିଥିଲୁ । ସେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍‌ ଭାବେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି, ଆମର ବିଶ୍ୱାସ ଅଧିନାୟକ ଭାବେ ସେ ସଫଳ ହେବେ ।’ ନୂଆ ଦାୟିତ୍ୱକୁ ନେଇ ଶେୟସ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି । ସେ କହିଛନ୍ତି, ନାଇଟ୍‌ ରାଇଡର୍ସ ଦଳର ନେତୃତ୍ୱ ନେବାକୁ ସୁଯୋଗ ମିଳିଥିବାରୁ ନିଜକୁ ଗର୍ବିତ ମନେ କରୁଛି । ଦଳର ମାଲିକ, ମ୍ୟାନେଜମେଣ୍ଟ, ସହକାରୀ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।’ ସେହିପରି ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମ୍ୟାକ୍‌କୁଲମ କହିଛନ୍ତି, ଶ୍ରେୟସ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଭବିଷ୍ୟତ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ ବ୍ୟାଟିଂ ଓ ନେତୃତ୍ୱ ଦକ୍ଷତା ଅନେକଙ୍କୁ ପ୍ରଭାବିତ କରିଛି । ତାଙ୍କ ଅଧିନରେ ନାଇଟ୍‌ ରାଇଡର୍ସ ତା’ର ଲକ୍ଷ୍ୟ ପୂରଣ କରିପାରିବ ।’

Leave A Reply

Your email address will not be published.