ଏପ୍ରିଲ୍‌ ୨୬ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ଟର୍ମ-୨ ପରୀକ୍ଷା

ଭୁବନେଶ୍ୱର ୧୨।୦୩ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଏପ୍ରିଲ୍‌ ୨୬ରୁ ଆରମ୍ଭ ହେବ । ଦଶମ ଶ୍ରେଣୀଙ୍କ ପରୀକ୍ଷା ଏପ୍ରିଲ୍‌ ୨୬ରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱାଦଶ ଶ୍ରେଣୀଙ୍କ ଏପ୍ରିଲ୍‌ ୨୬ରୁ ଜୁନ୍‌ ୧୫ ଯାଏ ପରୀକ୍ଷା କରାଯିବ । ଏନେଇ ଶୁକ୍ରବାର ସିବିଏସ୍‌ଇ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଖବର ଅନୁଯାୟୀ, କରୋନା ପାଇଁ ଚଳିତ ବର୍ଷ ପ୍ରଥମ କରି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପିଲାଙ୍କ ବୋର୍ଡ ପରୀକ୍ଷାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଆଧାରରେ ଗତ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଟର୍ମ-୧ ପରୀକ୍ଷା ସରିଥିଲା । ଯାହାର ଫଳ ଖୁବ୍‌ଶୀଘ୍ର ପ୍ରକାଶ ପାଇବ । ପ୍ରଥମ ଟର୍ମ ଭଳି ଟର୍ମ-୨ ପରୀକ୍ଷା ଦଶମ ଓ ଦ୍ୱାଦଶ ଶ୍ରେଣୀର ଆସନ୍ତା ଏପ୍ରିଲ୍‌ ୨୬ରୁ କରାଯିବ । ଦଶମ ଶ୍ରେଣୀ ପିଲାଙ୍କ ପ୍ରଥମ ଦିନରେ ପେଣ୍ଟିଂ ବିଷୟ ରହିଛି । ଶେଷ ଦିନ ମେ ୨୪ ତାରିଖରେ ଆଇଟି ବିଷୟ ପରୀକ୍ଷା ହେବ । ସେହିପରି ଦ୍ୱାଦଶ ପିଲାଙ୍କ ପ୍ରଥମ ଦିନ ଏଣ୍ଟରପ୍ରିନ୍ୟୁଅରସିପ୍‌, ବିୟୁଟି ଏବଂ ୱେଲନେସ୍‌ ବିଷୟର ପରୀକ୍ଷା କରାଯିବ । ଶେଷ ଦିନ ଜୁନ୍‌ ୧୫ରେ ମନୋବିଜ୍ଞାନ ପରୀକ୍ଷା ହେବ । ପରୀକ୍ଷାର ଅବଧି ୨ ଘଣ୍ଟା ରହିଛି । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୨ଟା ଯାଏ ପରୀକ୍ଷା କରାଯିବ । ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପିଲାଙ୍କୁ ପ୍ରଶ୍ନପତ୍ର ପଢ଼ିବାକୁ ଦିଆଯିବ । ଛାତ୍ରଛାତ୍ରୀମାନେ ଏଥିରେ ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେବେ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମୟ ଭିତରେ ଜେଇଇ ମେନ୍‌ ପରୀକ୍ଷା ମେ ୨୪ରୁ ୨୯ ତାରିଖ ଭିତରେ ହେବ । ତେଣୁ ପରୀକ୍ଷା ସମୟ ଏମିତି କରାଯାଇଛି ସିବିଏସ୍‌ଇ ବିଜ୍ଞାନ ବିଭାଗର ପିଲାମାନେ ଏଥିରେ କୌଣସି ଅସୁବିଧାର ସମ୍ମୁଖୀନ ହେବେନି । ସେମାନେ ଜେଇଇ ମେନ୍‌ ପରୀକ୍ଷା ଦେଇପାରିବେ ।

Leave A Reply

Your email address will not be published.