ସବୁ ଜିଲ୍ଲାରେ ଆଦର୍ଶ ଗାଁ ବନାଇବ ଆରଏସଏସ

ଅହମ୍ମଦାବାଦ,୧୪/୦୩: ଗୁଜରାଟର ଅହମ୍ମଦାବାଦଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଅଖିଳ ଭାରତୀୟ ପ୍ରତିନିଧି ସଭା ଉଦ୍‌ଯାପିତ ହୋଇଛି । ତିନିଦିନ ଧରି ଅନୁଷ୍ଠିତ ଏହି ସଭାର ଶେଷଦିନରେ ଭାରତକୁ ଆତ୍ମନିର୍ଭରଶୀଳ ବନାଇବା ଏବଂ ନୂଆ ରୋଜଗାର ସୃଷ୍ଟି ନିମନ୍ତେ ପଦକ୍ଷେପ ନିଆଯିବା ବାବଦ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ଆର୍‌ଏସ୍‌ଏସ୍‌ର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ କହିଛନ୍ତି, ଚାକିରି ପାଇଁ ଗ୍ରାମାଞ୍ଚଳ ଲୋକମାନେ ସହରକୁ ପଳାୟନ କରୁଛନ୍ତି। ତେଣୁ ସଂଘ ଗ୍ରାମାଞ୍ଚଳରେ ହିଁ ଯୁବକମାନଙ୍କୁ ଆତ୍ମନିଯୁକ୍ତିରେ ସହାୟକ ହେବ । ପ୍ରତି ଜିଲ୍ଲାରେ ଗୋଟିଏ ଆଦର୍ଶ ଗ୍ରାମ ସୃଷ୍ଟି ପାଇଁ ସଂଘ ଲକ୍ଷ୍ୟ ରଖିଛି । ସଂଘର ପ୍ରସ୍ତାବରେ ଆହୁରି କୁହାଯାଇଛି ଯେ ଦେଶରେ ପ୍ରଚୁର ପରିମାଣର ପ୍ରାକୃତିକ ସମ୍ପଦ ରହିଛି । ମାନବସମ୍ବଳ ଭଣ୍ଡାର ଏବଂ ଲୋକଙ୍କଠାରେ କର୍ମକୁଶଳତା ଭରିରହିଛି । ଏହାକୁ ସକାରାତ୍ମକ ଢଙ୍ଗରେ ଉପଯୋଗ କରି କୃଷି, ବିନିର୍ମାଣ ଓ ସେବା ଭଳି କ୍ଷେତ୍ରରେ ପର୍ଯ୍ୟାପ୍ତ ରୋଜଗାର ସୃଷ୍ଟି କରାଯାଇ ପାରିବ । ଏହାଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥାକୁ ଉଚ୍ଚ ସୋପାନରେ ପହଞ୍ଚା ଯାଇପାରିବ । କୋଭିଡ ସମୟରେ ହାସଲ କରାଯାଇଥିବା ଅଭିଜ୍ଞତାକୁ ଧ୍ୟାନରେ ରଖି ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ଦର୍ଶାଇଛି ଯେ ରୋଜଗାର ନେଇ ରହିଥିବା ଆହ୍ୱାନକୁ ସଫଳତାପୂର୍ବକ ସାମ୍ନା କରିବାକୁ ହେବ। ମାନବକୈନ୍ଦ୍ରିକ, ପରିବେଶ ଅନୁକୂଳ, ଶ୍ରମ ପ୍ରଧାନ ତଥା ବିକେନ୍ଦ୍ରୀକରଣ ଏବଂ ଲାଭାଂଶର ନ୍ୟାୟସଙ୍ଗତ ବିତରଣ କରୁଥିବା ଭାରତୀୟ ଆର୍ଥିକ ମଡେଲ୍‌କୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଏହି ମଡେଲ୍‌ ଗ୍ରାମୀଣ ଅର୍ଥନୀତି, ସୂକ୍ଷ୍ମ ଓ ଲଘୁ ଉଦ୍ୟୋଗ ଏବଂ କୃଷି ଆଧାରିତ ଉଦ୍ୟୋଗକୁ ବ୍ୟାପକ କରିପାରିବ । ଗ୍ରାମୀଣ ନିଯୁକ୍ତି, ଅସଂଗଠିତ କ୍ଷେତ୍ର ଓ ମହିଳାଙ୍କ ରୋଜଗାରକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ନିଯୁକ୍ତି ବୃଦ୍ଧି ଲାଗି ବିନିର୍ମାଣ କ୍ଷେତ୍ରକୁ ବଳିଷ୍ଠ ପାଇଁ ଏଥିରେ କୁହାଯାଇଛି। ବଦଳୁଥିବା ଆର୍ଥିକ ତଥା ପ୍ରଯୁକ୍ତି ପରିଦୃଶ୍ୟ ବିଶେଷକରି ଡିଜିଟାଲ ଅର୍ଥ ବ୍ୟବସ୍ଥା ଓ ରପ୍ତାନି ସମ୍ଭାବନାଗୁଡ଼ିକରୁ ଉତ୍ପନ୍ନ ନିଯୁକ୍ତି ଓ ଉଦ୍ୟମିତା ସୁଯୋଗର ଗଭୀର ଅନ୍ୱେଷଣ କରାଯିବା ଉଚିତ ବୋଲି ସଂଘ ଦର୍ଶାଇଛି।

Leave A Reply

Your email address will not be published.