ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୧୨ ସାମ୍ବାଦିକ, ୧୦ ଜଣ ମୃତ୍ୟୁ ସହ କରୁଛନ୍ତି ସଙ୍ଘର୍ଷ

କିଏଭ୍‌,୨୮/୦୩: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ଅର୍ଥାତ ଫେବ୍ରୁଆରୀ ୨୪ରୁ ଏପର୍ଯ୍ୟନ୍ତ ସେଠାରେ ମୋଟ ୧୨ ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ଏଥିସହ ଅନ୍ୟ ୧୦ ଜଣ ସାମ୍ବାଦିକ ଗୁରୁତର ହୋଇଛନ୍ତି । ଯୁଦ୍ଧ ବେଳେ ସେମାନେ ଖବର ସଂଗ୍ରହ କରୁଥିବା ସମୟରେ ରୁଷ ଆକ୍ରମଣର ଶିକାର ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ୟୁକ୍ରେନର ପ୍ରସିକ୍ୟୁଟର ଜେନେରାଲ ଇରିଲା ଭେନେଟିକ୍‌ଟୋଭା । ସେ କହିଛନ୍ତି ସାମ୍ବାଦିକଙ୍କ ପ୍ରତି ହେଉଥିବା ଅପରାଧ ଉପରେ ତାଙ୍କ କାର୍ଯ୍ୟାଳୟ ତୀକ୍ଷ୍ଣ ନଜର ରଖିଛି । ୟୁନିଫାଏଡ ରେଜିଷ୍ଟର ଅଫ୍‌ ପ୍ରି-ଟ୍ରାଏଲ ଇନ୍‌ଭେଷ୍ଟିଗେସନ ଅନୁସାରେ ରୁଷ ଏପର୍ଯ୍ୟନ୍ତ ୫୬ ଜଣ ଗଣମାଧ୍ୟମ କର୍ମଚାରୀଙ୍କ ବିରୋଧରେ ଅପରାଧ ଘଟାଇଛି । ସେମାନଙ୍କ ମଧ୍ୟରୁ ୧୫ ଜଣ ବିଦେଶୀ ଗଣମାଧ୍ୟମ କର୍ମଚାରୀ । ଏହି ୧୫ ଜଣଙ୍କ ମଧ୍ୟରେ ଅଛନ୍ତି ବ୍ରିଟେନର ୪, ଡେନମାର୍କ, ଚେକ୍‌ ଗଣରାଜ୍ୟ, ଆମେରିକା ଓ ୟୁଏଇର ୨ ଜଣ ଲେଖାଏ ଏବଂ ସୁଇଜରଲାଣ୍ଡର ଜଣେ । ରୁଷର ଏଭଳି ଅପରାଧ ବିରୋଧରେ ତାଙ୍କ ଦେଶ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।ଗତ ଶୁକ୍ରବାର ଧ୍ୱସ୍ତ ବିଧ୍ୱସ୍ତ ଚର୍ନିହିବ ସହରରେ ଲୋକଙ୍କୁ ଉଦ୍ଧାର କରାଯିବା ସମୟରେ ଭିଡିଓ ସୁଟିଂ କରୁଥିବା ବେଳେ ୟୁକ୍ରେନର ୧୍ମ୧ ଏବଂ ତୁର୍କୀର ଟିଆରଟି ୱାର୍ଲଡ ଟିଭି ଚ୍ୟାନେଲର କର୍ମଚାରୀ ଓ ସେମାନଙ୍କ କାର୍‌ ରୁଷର ବୋମାମାଡ଼ର ସମ୍ମୁଖୀନ ହୋଇଥିଲା । କିନ୍ତୁ ସୌଭାଗ୍ୟକୁ ସେମାନଙ୍କର କୌଣସି ବଡ କ୍ଷତି ଘଟିନଥିଲା । ଉକ୍ତ ଟିମ୍‌ରେ ସାମିଲ ଥିବା ସାମ୍ବାଦିକ ଆନ୍ଦ୍ରେ ସାପିଲେଙ୍କେ ସାମାନ୍ୟ ଆହତ ହୋଇଥିଲେ ।

Leave A Reply

Your email address will not be published.