ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ 

ପୁନେ ୨୯/୦୩: ଚଳିତ ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ମେଗା ନିଲାମ ପରେ ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛି । ଫଳରେ ମଙ୍ଗଳବାର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ସନରାଇଜର୍ସକୁ ଅନେକ ମ୍ୟାଚ୍‌ ଜିତାଇଥିବା ରସିଦ ଖାନ୍‌ ଏଥର ନାହାନ୍ତି । ୨୦୧୭ ସିଜନରୁ ରସିଦ ନିମୟିତ ଭାବେ ସନରାଇଜର୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ତାଙ୍କ ଉପସ୍ଥିତିରେ ସନରାଇଜର୍ସ ଥରେ ଚାମ୍ପିଅନ୍‌ ହୋଇଥିଲା । ହେଲେ ଏଥର ତାଙ୍କ ବିନା ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ଭୁବନେଶ୍ୱର କୁମାର, ଟି ନଟରାଜନ ଓ ଉମ୍ରାନ ମଲିକ ଦଳର ପେସ୍‌ ବୋଲିଂ ବିଭାଗ ସମ୍ଭାଳିବେ । ୱାସିଂଟନ ସୁନ୍ଦର, ମୁଖ୍ୟ ସ୍ପିନର ଭାବେ ଖେଳିବେ । ତାଙ୍କୁ ଅବଦୁଲ ସମଦ ଓ ଅଭିଷେକ ଶର୍ମା ବୋଲିଂରେ ସହାୟତା କରିବେ । ଏଥର ଦଳର ବ୍ୟାଟିଂ ବିଭାଗ ମଧ୍ୟ ସନ୍ତୁଳିତ । ଘରୋଇ ଖେଳାଳି ଯୋଡି ରାହୁଲ ତ୍ରିପାଠୀ ଓ ଅଭିଷେକ ପାଳି ଆରମ୍ଭ କରିବା ଆଶା କରାଯାଉଛି । କେନ ୱିଲିୟମସନ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ମଧ୍ୟକ୍ରମ ସମ୍ଭାଳିବେ । ଗତ ସଜିନ ଭଳି ରାଜସ୍ଥାନ ରୟାଲ୍ସ ଏଥର ମଧ୍ୟ ସନ୍ତୁଳିତ ଓ ଶକ୍ତିଶାଳୀ ମନେ ହେଉଛି। ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଆର ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲ ବୋଲିଂ ବିଭାଗ ଦାୟିତ୍ୱରେ ରହିଛନ୍ତି । ଜୋସ ବଟଲର, ଦେବଦତ୍ତ ପାଡ଼ିକଲ, ଯଶସ୍ୱୀ ଜୈସ୍ୱାଲ, ସିମରନ ହେତମେୟର ଓ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ ବିଭାଗ ସମ୍ଭାଳିବାକୁ ପ୍ରସ୍ତୁତ । ଆଇପିଏଲ ଇତିହାସରେ ମୋଟ ୫ଜଣ ବ୍ୟାଟ୍ସମ୍ୟାନ ୪୦ରୁ ଉଦ୍ଧ୍ୱର୍ ହାର ଓ ୧୪୦ରୁ ଉର୍ଦ୍ଧ ଷ୍ଟ୍ରାଇକ ରେଟ୍‌ରେ ସ୍କୋର କରିଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣ ରୟାଲ୍ସ ଦଳରେ ରହିଛନ୍ତି । ସେମାନେ ହେଲେ ସାମସନ ଓ ବଟଲର । ତେଣୁ କରି ରୟାଲ୍ସ ଦଳ ବିସ୍ଫୋରକ ବ୍ୟାଟିଂ କରିବାକୁ ପ୍ରସ୍ତୁତ ରହିଥିବା ସ୍ପଷ୍ଟ ।

Leave A Reply

Your email address will not be published.