ସ୍ୱର୍ଗଦ୍ୱାରରେ ଲୋକାର୍ପଣ ହେଲା କାଫେଟେରିଆ

ପୁରୀ ୦୧/୦୪: ବଦଳିଛି ସ୍ୱର୍ଗଦ୍ୱାରର ଚିତ୍ର । ଆଗଭଳି ଆଉ ସଙ୍କୁଚିତ ଓ ପ୍ରଦ୍ୟୁଷିତ ହୋଇ ରହିନାହିଁ ପୁରୀ ସ୍ୱର୍ଗଦ୍ୱାର । ନିଜର ପ୍ରିୟଜନ ମାନଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ସ୍ୱର୍ଗଦ୍ୱାର ଆସୁଥିବା ଶବକୁ ସମ୍ମାନ, ସ୍ୱେଚ୍ଛାସେବୀ ମୁତୟନ, ପାନୀୟ ଜଳ, କାଠ ବୋହିବା ପାଇଁ ଗାଡି, ସିସିଟିଭି ସହ ବିଶ୍ରାମ ଗୃହର ବ୍ୟବସ୍ଥା କରାଯାଇଛି ।ସେହିପରି ଶବ ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତି ଓ ପର୍ଯ୍ୟଟକଙ୍କ ପାଇଁ ଓଡିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଆଜି ଉତ୍କଳ ଦିବସ ଅବସରରେ ସ୍ବର୍ଗଦ୍ବାର ଠାରେ ଏକ କାଫେଟେରିଆ ଲୋକାର୍ପଣ ହୋଇଛି । ସମ୍ପୁର୍ଣ୍ଣ ନିରାମିଷ ଓ ପ୍ରଦ୍ୟୁଷଣ ମୁକ୍ତ ଖାଦ୍ୟ ସହ ଏହି କାଫେଟେରିଆରେ ଚାହା, କଫି ଓ ଜଳପାନ ମିଳୁଛି । ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହି କାଫେଟେରିଆର ଆଜି ଲୋକାର୍ପଣ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱର୍ଗଦ୍ବାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ଅନୁଦାନ ଘୋଷଣା କରିବା ପରେ ଓବିସିସି ଓ ଫୋନିକ୍ସ ଫାଉଣ୍ଡେସନ ପକ୍ଷରୁ ଏହାର କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇ ଏବେ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ସ୍ବର୍ଗଦ୍ବାରରେ ୨୮ଟି ପିଣ୍ଡିରେ ଶବ ସଂସ୍କାର କରାଯାଉଥିବା ବେଳେ ଏବେ ହାରାହାରି ୫୫ଟି ଶବ ଏକକାଳୀନ ସଂସ୍କାର ହୋଇପାରୁଛି । ସେହିପରି ୪୫ ଜଣ ସଂସ୍କାରକ ତିନିଦଫାରେ ଏହି ସେବା ଯୋଗାଉ ଥିବା ବେଳେ ଚାରିଜଣ ବ୍ରାହ୍ମଣ ପଥ ଶ୍ରାଦ୍ଧ କାର୍ଯ୍ୟ କରୁଛନ୍ତି । ସ୍ୱର୍ଗଦ୍ୱାରରେ ଏକ ଅତ୍ୟାଧୁନିକ ପ୍ରଶାସନିକ କୋଠାରେ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ସେବା ସହ ହରିଶ୍ଚନ୍ଦ୍ର ଯୋଜନାର ସମସ୍ତ ସହାୟତା ଦିଆଯାଉଛି ।

Leave A Reply

Your email address will not be published.