ଗୋପବନ୍ଧୁ ଗଂଜାମ ରାଜନୀତିର ଚାଣକ୍ୟ

ଗଞ୍ଜାମ: ଗଞ୍ଜାମ ଜିଲା ରାଜନୀତିରେ ଯେଉଁ ନାମକୁ ନେଇ ଏବେ ସର୍ବାଧିକ ଚର୍ଚ୍ଚା ହେଉଛି, ସିଏ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ତଥା ଅବସରପ୍ରାପ୍ତ ପ୍ରଶାସକ ଗୋପବନ୍ଧୁ ଦାସ। ଖୁବ୍‌ ଅଳ୍ପ ଦିନରେ ଗଞ୍ଜାମ ରାଜନୀତିର ଷ୍ଟିୟରିଂ ଧରିବାରେ ସଫଳ ହୋଇପାରିଛନ୍ତି ଗୋପବନ୍ଧୁ। ତେବେ ତାଙ୍କର ଅନେକ ନିଷ୍ପତ୍ତି କିନ୍ତୁ ବନ୍ଧୁ ବଦଳରେ ଶତ୍ରୁ ତିଆରି କରୁଛି ବୋଲି ମଧ୍ୟ ରାଜନୈତିକ ମହଲରେ ଆଲୋଚନା ହେଉଛି । ଏହା ପଛର କାରଣ ହେଲା, ଜିଲାର ଅନେକ ପୁରୁଖା ନେତାଙ୍କ ସମର୍ଥକଙ୍କ ବଦଳରେ ଗୋପବନ୍ଧୁ ନୂଆ ନେତୃତ୍ବ ତିଆରି କରିବାରେ ଲାଗିଛନ୍ତି । ତାଙ୍କର ଏହି ଗୋଟିଚାଳନାରେ ଗୁରୁତ୍ବ ପାଉଛନ୍ତି ଯୁବଗୋଷ୍ଠୀ ଏବଂ ମହିଳା । ପ୍ରଥମେ ବ୍ରହ୍ମପୁର ମହାନଗର ନିଗମର ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନ କଥା ଦେଖିବା । ମେୟର ସୀଧାସଳଖ ନିର୍ବାଚିତ ହୋଇଥିବା ବେଳେ ସମସ୍ତଙ୍କ ନଜର ଡେପୁଟି ମେୟର ଉପରେ ରହିଥିଲା । ଗତ ଶୁକ୍ରବାର ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଶାସକଦଳ ସଂଖ୍ୟା ଗରିଷ୍ଠତା ଥିବା ଯୋଗୁଁ ଉକ୍ତ ପଦବୀ ହାତେଇବେ ନେଇ ଦଳରେ ବହୁ ଆଶାୟୀଙ୍କ ଲମ୍ବା ତାଲିକା ରହିଥିଲା। ପୂର୍ବରୁ ମେୟର ପଦବୀ ନେଇ ଯେମିତି ଲବି ଚାଲିଥିଲା, ଡେପୁଟି ମେୟର ପଦବୀ ପାଇଁ ମଧ୍ୟ ଅନୁରୂପ ଭାବେ ଲବି ଦେଖିବାକୁ ମିଳିଥିଲା । ଜିଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଦୁଇଜଣ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଦୁଇ ଜଣ ପ୍ରମୁଖ ଦାବିଦାର ରହି ଲଗାତର ଭାବେ ରାଜ୍ୟ ନେତୃବର୍ଗଙ୍କ ପାଖରେ ଲବି କରିଆସୁଥିଲେ। ଡା.ଚ୍ୟାଉପଟ୍ଟନାୟକ ୩୨ ନମ୍ବର ୱାର୍ଡର କର୍ପୋରେଟର ସୁରେନ୍ଦ୍ର ମହାରଣା ଓ ୪୦ ନମ୍ବର ୱାର୍ଡର କର୍ପୋରେଟର ଭାଗିରଥୀ ମହାରଣାଙ୍କ ପାଇଁ ଯୋରଦାର ଲବି କରିଥିଲେ । ସେହିଭଳି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ଉଭୟେ ୨୯ ନମ୍ବର ୱାର୍ଡର କର୍ପୋରେଟର ସଞ୍ଜିତ କୁମାର ପାଣିଗ୍ରାହୀ ଏବଂ ୪୧ ନମ୍ବର ୱାର୍ଡର କର୍ପୋରେଟର ମଳୟ ବିଶୋୟୀଙ୍କ ପାଇଁ ଜିଦ୍‌ ଧରିଥିଲେ । ଉଭୟ ଗୋଷ୍ଠୀଙ୍କ କନ୍ଦଳରୁ ତୃତୀୟ ବ୍ୟକ୍ତି ଭାବେ ୪୨ ନମ୍ବର ୱାର୍ଡର ସର୍ବକନିଷ୍ଠ କର୍ପୋରେଟର ଇ.ବିବେକ ରେଡ୍ଡିଙ୍କୁ ଦଳର ସୁପ୍ରିମୋ ମନୋନୀତ କରିଛନ୍ତି । ଏହା ଅନ୍ୟ ସମସ୍ତ ଶିବିର ଯଥା ଜିଲା ସଭାପତି ଓ ବିଧାୟକଙ୍କୁ ଶକ୍ତ ଧକ୍କା ଲାଗିଛି ବୋଲି ସହରରେ ଆଲୋଚନା ହେଉଛି । ନବାଗତ ବିବେକଙ୍କୁ କିପରି ଭାବେ ଦଳ ଚୟନ କରିଛି ଓ ଏହାପଛରେ କାହାର ଲବି କାମ କରୁଛି, ତାହାକୁ ନେଇ ଉଭୟ ନେତା ମାନସମନ୍ଥନ କରୁଛନ୍ତି । ପ୍ରମୁଖ ୪ଜଣ ଆଶାୟୀ ଏଥିରୁ ବାଦ ପଡିଥିବା ଯୋଗୁଁ ବିଧାୟକ ଓ ଜିଲା ସଭାପତି ଉଭେୟ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିବେକଙ୍କ ମୁଣ୍ଡ ଉପରେ ଗୋପବନ୍ଧୁଙ୍କ ଆଶୀର୍ବାଦ ଥିବା କୁହାଯାଉଛି । କାରଣ ବିବେକ ମହାନଗର ନିଗମର ଯେଉଁ ୪୨ ନମ୍ବର ୱାର୍ଡରୁ କର୍ପୋରେଟର ହୋଇଛନ୍ତି, ସେହି ୱାର୍ଡଟି ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି । ଗୋପାଳପୁରର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଦଳରୁ ତଡ଼ିବା ପରେ ଗୋପବନ୍ଧୁ ଏହି ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିଛନ୍ତି ।  ଗତ ଥର ମଧ୍ୟ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ଜଣେ କର୍ପୋରେଟର ହୋଇଥିଲେ ଡେପୁଟି ମେୟର। ଏଣୁ ପୁଣି ଥରେ ଏହି ନିର୍ବାଚନ ମଣ୍ଡଳୀରୁ ଜଣେ କର୍ପୋରେଟରଙ୍କୁ ଡେପୁଟି ମେୟର ଚୌକିରେ ବସାଇ ନିଜ ଦବ୍‌ଦବା ଜାହିର କରିବା ସହିତ ପ୍ରଦୀପଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେଇନାହାନ୍ତି ଗୋପବନ୍ଧୁ। କେବଳ ଏହି ଗୋଟିଏ ବିଷୟ ନୁହଁ, ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗୋପବନ୍ଧୁଙ୍କ ଗୁରୁତ୍ବ ଦେଖିବାକୁ ମିଳିଥିଲା । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ୪ଟି ଜିଲା ପରିଷଦ ଜୋନ୍‌ ରହିଛି । ଏସବୁ ଜୋନ୍‌ରେ ବିଜେଡ଼ିର ପ୍ରାର୍ଥୀଙ୍କୁ ବିଜୟୀ କରିପାରିଛନ୍ତି। ତେବେ ଗୋପବନ୍ଧୁଙ୍କୁ ଗୁରୁତ୍ବ ଯେତିକି ବଢ଼ୁଛି, ସେତିକି ଶତ୍ରୁ ମଧ୍ୟ ସୃଷ୍ଟି ହେଉଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ସମୟ ଥାଉଣୁ ଗୋପବନ୍ଧୁ ନିଜ ବନ୍ଧୁଙ୍କ ବଦଳରେ ଶତ୍ରୁଙ୍କ ପ୍ରତି ସତର୍କ ରହିବାକୁ ହେବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.