ଗ୍ରାହକଙ୍କୁ ଲାଗିବ ଝଟକା, ଲେମ୍ୱୁ ପରେ ମହଙ୍ଗା ହେବ କଦଳୀ

ନୂଆଦିଲ୍ଲୀ୧୨/୦୪: ଲେମ୍ବୁ ପରେ ଆଗକୁ କଦଳି ଆଉ ବେବିକର୍ଣ୍ଣ ମହଙ୍ଗା ହେବାକୁ ଯାଉଛି । ଏହାର କାରଣ ହେଉଛି ଉଭୟ ସାମଗ୍ରୀକୁ ଆଉ ଏକ ଦେଶକୁ ରପ୍ତାନି କରିବା ପାଇଁ ଅନୁମତି ମିଳିଛି । ଫଳରେ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଉତ୍ତମ ମୂଲ୍ୟ ମିଳିବ । କିନ୍ତୁ ଘରୋଇ ବଜାରରେ ଦର ବଢ଼ିଯିବ । ଭାରତ ଏବଂ କାନାଡା ମଧ୍ୟରେ ଏକ ବୁଝାମଣା ହୋଇଛି, ଯାହା ଜରିଆରେ କାନାଡା ସରକାର ଭାରତରୁ କଦଳି ଏବଂ ବେବିକର୍ଣ୍ଣ ରପ୍ତାନିକୁ ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, କାନାଡା ସରକାର ଭାରତକୁ ସତେଜ କଦଳି ଏବଂ ବେବିକର୍ଣ୍ଣ ରପ୍ତାନି ଅନୁମତି ଦେଇଛନ୍ତି । ଟେକ୍ନିକାଲ ଅପ୍‌ଡେଟ୍‌ ପରେ ଚଳିତ ମାସରୁ କାନାଡାକୁ କଦଳି ଏବଂ ବେବିକର୍ଣ୍ଣ ରପ୍ତାନି ଆରମ୍ଭ ହୋଇଯିବ । ଏହି ଦୁଇଟି ଫସଲର ରପ୍ତାନି ହେବା ଦ୍ୱାରା ଘରୋଇ ବଜାରରେ ଆଗାମୀ ଦିନରେ ଉଭୟର ଦର ବଡ଼ ମାତ୍ରାରେ ବଢ଼ିବା ସମ୍ଭାବନା ଅଛି । କାନାଡା ବଜାରରେ ନିଜ କଦଳି ଏବଂ ବେବିକର୍ଣ୍ଣ ବିକ୍ରି କରିବା ପାଇଁ ଭାରତ ଦୀର୍ଘଦିନରୁ ପ୍ରୟାସ କରି ଆସୁଥିଲା । ଉଭୟ ଦେଶର ଅଧିକାରୀମାନଙ୍କ ମଧ୍ୟରେ ଏ ନେଇ ଆଲୋଚନା ଚାଲିଥିଲା । ଏପ୍ରିଲ ୭ରେ ଭାରତ ସରକାରଙ୍କ କୃଷି ସଚିବ ମନୋଜ ଆହୁଜା ଏବଂ ଭାରତରେ ଅବସ୍ଥାପିତ କାନାଡାର ଉଚ୍ଚାୟୁକ୍ତ ଏଚ୍‌. ଡି. କ୍ୟାମେରନ ମ୍ୟାକ୍‌ଙ୍କ ମଧ୍ୟରେ ଅନ୍ତିମ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଏହି ବୈଠକରେ ରପ୍ତାନିକୁ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇଛି । ଏହି ଚୁକ୍ତି ପରେ କାନାଡା ସୂଚନା ଦେଇଛି ଯେ, ଭାରତରୁ ସତେଜ ବେବିକର୍ଣ୍ଣକୁ କାନାଡା ରପ୍ତାନି ଚଳିତ ମାସରୁ ଆରମ୍ଭ କରାଯାଇପାରେ । ତା’ସହିତ ଭାରତୀୟ କଦଳୀକୁ କାନାଡା ରପ୍ତାନି କରିବା ପାଇଁ ତତ୍କାଳ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହାସହିତ ଭାରତ ଦ୍ୱାରା ସତେଜ କଦଳି ପାଇଁ ପ୍ରଦାନ କରାଯାଇଥିବା ବୈଷୟିକ ସୂଚନା ଆଧାରରେ କୃଷି ମନ୍ତ୍ରାଳୟ ପ୍ରକାଶ କରିଛି ଯେ, କାନାଡା ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ଚାଷୀଙ୍କୁ ଅଧିକ ଲାଭ ମିଳିବ ଏବଂ ଭାରତର ରପ୍ତାନି ଆୟ ବଢ଼ିବ ।

Leave A Reply

Your email address will not be published.