ଅସହ୍ୟ ଗରମରେ ଛଟଛଟ ଓଡିଶାବାସୀ

ଭୁବନେଶ୍ୱର,୧୫/୪: ରାଜ୍ୟର ଅଧିକାଂଶ ସ୍ଥାନ ତତଲା କଡ଼େଇରେ ଆଉଟୁପାଉଟୁ ହେଉଛି । ଗୁରୁବାର ସୋନପୁରରେ ଅସମ୍ଭାଳ ତାତି ହୋଇଥିଲା । ଏହା ଦେଶର ସବୁଠୁ ତତଲା ସହର ପାଲଟିଛି । ଏଠାରେ ସର୍ବାଧିକ ୪୪.୨ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ୧୭ଟି ସହର ବା ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ତାଲିକାରେ ସୋନପୁର ପଛକୁ ରହିଛି ବଲାଙ୍ଗୀର । ଏଠାରେ ତାପମାତ୍ରା ୪୨.୮ଡିଗ୍ରୀ ରହିଛି । ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୨.୨, ବୌଦ୍ଧରେ ୪୨, ତାଳଚେରରେ ୪୧.୮, ଅନୁଗୁଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୫, ଟିଟିଲାଗଡ଼ରେ ୪୧.୫ ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସମ୍ବଲପୁରର ୪୦.୮, ନୟାଗଡ଼ରେ ୪୦.୫, ଭବାନୀପାଟଣାରେ ୪୦.୫, ବାଲେଶ୍ୱର, ମାଲକାନଗିରି ଓ ଛତ୍ରପୁରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୮ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତଥାପି ଏଭଳି ରୌଦ୍ର ତାପ ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇପାରେ । କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିଯିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ମଧ୍ୟାହ୍ନ ସମୟରେ ତାପମାତ୍ରା ଅଧିକ ରହିବ । ଏଥିପାଇଁ ମଧ୍ୟାହ୍ନ ୧୨ଟାରୁ ୩ଟା ଯାଏ ଜରୁରି ନଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ ଗଲେ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାକୁ କୁହାଯାଇଛି ।

Leave A Reply

Your email address will not be published.