ସନ୍ଧ୍ୟାରେ ବାଙ୍ଗାଲୋର-ଲକ୍ଷ୍ନୌ ଟକ୍କର

ମୁମ୍ବାଇ, ୧୯/୦୪: ଚଳିତ ଆଇପିଏଲ୍‌ର ୩୧ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ । ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ୍‌ ଖେଳି ସମାନ ସଂଖ୍ୟକ ୮ ପଏଣ୍ଟ ପାଇଛନ୍ତି । ଗୁଜରାଟ ଟାଇଟନ୍ସ ୧୦ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ନେଟ୍‌ ରନ୍‌ରେଟ୍‌ ଆଧାରରେ ରାଜସ୍ଥାନ ରୟାଲ୍ସ(୮) ଦ୍ୱିତୀୟ, ସୁପରଜାଏଣ୍ଟ୍‌ସ ତୃତୀୟ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚତୁର୍ଥ ସ୍ଥାନରେ ରହିଛନ୍ତି । ମଙ୍ଗଳବାର ଉଭୟ ଦଳ ମଧ୍ୟରେ ଶୀର୍ଷ ସ୍ଥାନ ପାଇଁ ଲଢ଼େଇ ହେବ । ତେଣୁ ମ୍ୟାଚ୍‌ଟି କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଓ ସୁପରଜାଏଣ୍ଟ୍‌ସ ଗତ ୧୬ ତାରିଖ ନିଜ ନିଜର ଶେଷ ମ୍ୟାଚ୍‌ ଖେଳିଥିଲେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୬ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏବଂ ସୁପରଜାଏଣ୍ଟ୍‌ସ ୧୮ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ତେଣୁ ଆଜି ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା କମ୍‌ । ଦୁଇ ଦଳ ବ୍ୟାଟିଂ ବିଭାଗ ଉପରେ ନିର୍ଭରଶୀଳ । ଅଭିଜ୍ଞ ୱିକେଟ୍‌ କିପର ବ୍ୟାଟର ଦିନେଶ କାର୍ତ୍ତିକ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛନ୍ତି । ସେ ଦଳର ମ୍ୟାଚ୍‌ ଫିନିଶର ଦାୟିତ୍ୱକୁ ସଠିକ୍‌ ଭାବେ ତୁଲାଇ ସମ୍ପ୍ରତ୍ତି ଚର୍ଚ୍ଚାର ପରିସର ମଧ୍ୟରେ ରହିଛନ୍ତି । କେବଳ ଅଧିନାୟକ ଫାଫ୍‌ ଡୁ’ପ୍ଲେସି ଓ ବିରାଟ କୋହଲି ସଫଳ ହେଲେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଅଟକାଇବା ମୁସ୍କିଲ ହେବ । ସୁପରଜାଏଣ୍ଟ୍‌ସ ଇତିମଧ୍ୟରେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଛି । ଦଳ ଅଧିନାୟକ ଲୋକେଶ ରାହୁଲ ଓ କ୍ୱିଣ୍ଟନ ଡି’କକ୍‌ଙ୍କ ଉପରେ ନିର୍ଭରଶୀଳ ରହିଛି । ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ସେ ଅପରାଜିତ ୧୦୩ରନ୍‌ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟ ପଟରେ ଦଳ ୩ନଂ ବ୍ୟାଟିଂ କ୍ରମକୁ ନେଇ ଚିନ୍ତିତ ରହିଛି । କାର୍ତ୍ତିକଙ୍କୁ ରୋକିବା ପାଇଁ ସୁପରଜାଏଣ୍ଟ୍‌ସ ସ୍ୱତନ୍ତ୍ର ରଣନୀତି ସହ ପଡ଼ିଆକୁ ଓହ୍ଲାଇବ । କାର୍ତ୍ତିକ ରିଷ୍ଟ ସ୍ପିନରଙ୍କ ବିପକ୍ଷରେ ସେତେଟା ସଫଳ ହୋଇନାହାନ୍ତି । ତେଣୁ ଦଳ ରବି ବିଷ୍ଣୋଇଙ୍କୁ ନେଇ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।

Leave A Reply

Your email address will not be published.