ଆଶିଷ ମିଶ୍ରାଙ୍କୁ ଝଟ୍‌କା, ଜାମିନ ରବ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୯/୦୪:  ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଝଟକା। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ପୁଣି ଥରେ ଯିବାକୁ ପଡିବ ଜେଲ। କାରଣ ସୁପ୍ରିମକୋର୍ଟ ସୋମବାର ତାଙ୍କ ଜାମିନକୁ ରବ୍ଦ କରିଦେଇଛନ୍ତି। ସପ୍ତାହକ ମଧ୍ୟରେ କୋର୍ଟରେ ଆତ୍ମସମର୍ପଣ କରିବାକୁ ଆଶିଷଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ବେଞ୍ଚ୍ ଏହି ମାମଲାର ଶୁଣାଣୀ କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ଗତ ମାସରେ ଆଲ୍ଲାହାବାଦ ହାଇକୋର୍ଟ ଆଶିଷ ମିଶ୍ରାଙ୍କୁ ଦେଇଥିଲେ ଜାମିନ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ଲକ୍ଷ୍ମୀପୁର ହିଂସା କାଣ୍ଡର ପିଡତଙ୍କ ପରିବାର ଲୋକେ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲେ। ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ ଆଲ୍ଲହାବାଦ ହାଇକୋର୍ଟର ନିଷ୍ପତ୍ତିକୁ କଡା ସମାଲୋଚନା କରିଥିଲେ। ଏଭଳି ଏକ ଜଘନ୍ୟ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଆଲ୍ଲହାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିବା ତରବରିଆ ନିଷ୍ପତ୍ତି ବୋଲି କହିଥିଲେ। ଆହୁରି ମଧ୍ୟ କହିଥିଲେ ଆଲ୍ଲାହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଦୂରଦୃଷ୍ଟି ସଂପନ୍ନ ନୁହେଁ। ହିଂସା ପୀଡିତଙ୍କ ପକ୍ଷ ଭଲ ଭାବେ ଶୁଣି ନାହାଁନ୍ତି ଆଲ୍ଲାହାବାଦ ହାଇକୋର୍ଟ। FIR, ପୀଡିତ ପରିବାର ପକ୍ଷର ଅଭିଯୋଗ ଉପରେ ହାଇକୋର୍ଟ ଠିକଣା ଭାବେ ବିଚାର କରିବାରେ ସକ୍ଷମ ହୋଇନାହାଁନ୍ତି। ତେଣୁ ଆଲ୍ଲହାବାଦ ହାଇକୋର୍ଟ ଆଶିଷ ମିଶ୍ରାଙ୍କୁ ଦେଇଥିବା ଜାମିନ ରବ୍ଦ କରାଗଲା। ପୁଣି ଥରେ ହାଇକୋର୍ଟରେ ଜାମିନ ପାଇଁ ଆଶିଷ ମିଶ୍ର ଆବେଦନ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Leave A Reply

Your email address will not be published.