ଋଷ ଟାର୍ଗେଟରେ ୟୁକ୍ରେନ ତୈଳ ଡିପୋ,

ନୂଆଦିଲ୍ଲୀ ୨୬/୦୪: ୟୁକ୍ରେନ୍‌ ଉପରେ ଦୁଇମାସରୁ ଅଧିକ ଦିନ ହେଲା ଆକ୍ରମଣ ଜାରି ରଖିଛି ରୁଷ । କ୍ଷୁଦ୍ର ଦେଶ ହୋଇଥିଲେ ସୁଦ୍ଧା ପ୍ରତିଟି ଆକ୍ରମଣର ଜବାବ ଦେଉଛି ୟୁକ୍ରେନ୍‌ । ବେଳେବେଳେ ଠୋସ୍‌ ରଣନୀତି ଆପଣାଇ ରୁଷ ସୀମାରେ ପଶି ମିସାଇଲ୍‌ ମାଡ଼ କରୁଛି । ତୈଳ ଡିପୋଗୁଡ଼ିକୁ ହମ୍‌ଲା କରି ରୁଷର ସାମରିକ ଅଭିଯାନକୁ ମନ୍ଥର କରିଦେବା ପାଇଁ ଏଭଳି ରଣନୀତି ଆପଣାଇଛି ୟୁକ୍ରେନ୍‌ । ସଦ୍ୟ ଘଟଣାକ୍ରମେ ୟୁକ୍ରେନ୍‌ର ସୈନ୍ୟମାନେ ରୁଷରେ ମିସାଇଲ୍‌ ମାଡ଼ କରି ଦୁଇଟି ବଡ଼ ତୈଳ ଡିପୋ ଉଡ଼ାଇ ଦେଇଛନ୍ତି । ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିଲା । ସକାଳ ପର୍ଯ୍ୟନ୍ତ ଡିପୋଦ୍ୱୟରୁ ମୋଟା ବହଳର ନିଆଁ ଓ ଧୂଆଁ ବାହାରିଥିଲା । ରୁଷର ବ୍ରାଂସ୍କ ଓ ଡ୍ରୁଝ୍‌ବା ତୈଳ ଡିପୋ ଛାରଖାର ହୋଇଯାଇଛି । ଏଥିରେ କେତେ ଲୋକ ମୃତାହତ ହୋଇଛନ୍ତି, ସେ ବାବଦରେ ରୁଷ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ବ୍ରାଂସ୍କ ଡିପୋରୁ ରୁଷର ସାମରିକ ତୈଳ ଆବଶ୍ୟକତା ପୂରଣ କରାଯାଉଛି । ଡୋନ୍‌ବାସ୍‌ ଅଭିଯାନରେ ନିୟୋଜିତ ଥିବା ସୈନ୍ୟଙ୍କ ପାଇଁ ଏହିଠାରୁ ତେଲ ଯାଉଥିଲା । ସେହିଭଳି ଡ୍ରୁଝ୍‌ବା ତୈଳ ଡିପୋରୁ ୟୁରୋପକୁ ପାଇପ୍‌ଲାଇନ୍‌ ଯୋଗେ ତୈଳ ଯୋଗାଣ ହେଉଥିଲା । ଡୋନ୍‌ବାସ୍‌ରେ ଯୁଦ୍ଧ କରୁଥିବା ରୁଷୀୟ ସୈନ୍ୟଙ୍କ ପାଇଁ ବ୍ରାଂସ୍କ ହେଉଛି ଏକ ପ୍ରମୁଖ ଲଜିଷ୍ଟିକ୍‌ ପେଣ୍ଠସ୍ଥଳ । କୁହାଯାଉଛି ଯେ ରୁଷ୍‌ର ଡୋନ୍‌ବାସ୍‌ ଅଭିଯାନକୁ ଶିଥିଳ କରିବା ପାଇଁ ୟୁକ୍ରେନ୍‌ ଏଭଳି ପଦକ୍ଷେପ ନେଇଛି । ସୀମାଠାରୁ ୭୦ ମାଇଲ୍‌ ଦୂରରେ ଥିବା ଦୁଇଟି ତୈଳ ଡିପୋକୁ ଏହା ମିସାଇଲ୍‌ ମାଡ଼ କରି ଉଡ଼ାଇ ଦେଇଛି । ପୂର୍ବରୁ ମଧ୍ୟ ୟୁକ୍ରେନ୍‌ ସମାନ ଉଦ୍ଦେଶ୍ୟ ରଖି ରୁଷର ତୈଳ ଭଣ୍ଡାରକୁ ଟାର୍ଗେଟ୍‌ କରିଥିଲା, ଯଦ୍ଦ୍ୱାରା କିଏଭ୍‌ ଅଭିମୁଖେ ଯାଉଥିବା ୪୦ ମାଇଲ୍‌ବିଶିଷ୍ଟ ବିରାଟ ସେନା ପଟୁଆର ଅଧା ରାସ୍ତାରେ ମାଟି କାମୁଡ଼ିଥିଲା । ଫଳରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ କିଏଭ୍‌ ଦଖଲ ସ୍ୱପ୍ନ ଚୂର୍‌ମାର ହୋଇଯାଇଥିଲା ।

Leave A Reply

Your email address will not be published.