IPLରେ ହେବିଓ୍ୱେଟ ମୁକାବିଲା, ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ, ୨୭/୪: ଆଜି IPLର ୪୦ତମ ଲିଗ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚକୁ ନେଇ ଦର୍ଶକ ମହଲରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି । ପୂର୍ବରୁ ସନରାଇଜର୍ସ ଠାରୁ ପରାଜିତ ହୋଇ ସାରିଥିବାରୁ ଟାଇଟନ୍ସ ଆସନ୍ତା କାଲି ବିଜୟ ସହ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଟାଇଟନ୍ସ ଇତି ମଧ୍ୟରେ ୭ଟି ମ୍ୟାଚ୍ ଖେଳି ୬ ବିଜୟ ସହ ମୋଟ୍ ୧୨ ପଏଣ୍ଟ ହାସଲ କରିଛି । କେବଳ ସନରାଇଜର୍ସ ଠାରୁ ପରାଜିତ ହୋଇଛି ଟାଇଟନ୍ସ । ଗତ ୧୧ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚ୍ରେ ସନରାଇଜର୍ସ ୮ ୱିକେଟରେ ବିଜୟ ହାସଲ କରିଥିଲା । ମୋଟ୍ ଉପରେ ଦେଖିବାକୁ ଗଲେ ଆସନ୍ତାକାଲି ଉଭୟ ଦଳର ବୋଲିଂ ବିଭାଗ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ହେବ । ଭୁବନେଶ୍ୱର କୁମାର, ଟି ନଟରାଜନ, ଉମ୍ରାନ ମଲିକ, ମାର୍କୋ ଜାନସେନଙ୍କୁ ନେଇ ଗଠିତ ପେସ୍ ବାହିନୀ ସନରାଇଜର୍ସର ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ଅନ୍ୟ ପଟରେ ମହମ୍ମଦ ସାମି, ଲୋକି ଫର୍ଗୁସନ, ଅଲଜାରୀ ଜୋଶେଫ ଓ ରସିଦ ଖାନ୍ଙ୍କ ଭଳି ଅନ୍ତର୍ଜାତୀୟ ବୋଲର ଟାଇଟନ୍ସ ଦଳରେ ରହିଛନ୍ତି । ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରୁଥିବା ଦଳ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ । ଗତ ମୁକାବିଲାରେ ରସିଦ ଖାନଙ୍କୁ ସନରାଇଜର୍ସ ବ୍ୟାଟରମାନେ ସହଜରେ ଖେଳି ରନ ବାହାର କରିଥିଲେ । ପୂର୍ବରୁ ରସିଦ ସନରାଇଜର୍ସରେ ଖେଳୁଥିଲେ । ତେଣୁ ଆସନ୍ତା କାଲି ତାଙ୍କ ପ୍ରତି ବ୍ୟାଟରଙ୍କ ପାଇଁ ଭିନ୍ନ ଭିନ୍ନ କୌଶଳ ଆପଣେଇବାକୁ ପଡ଼ିବ । ମୁଖ୍ୟତଃ ରାହୁଲ ତ୍ରିପାଠୀଙ୍କୁ ଅଟକାଇବା ରସିଦଙ୍କ ପାଇଁ ଜରୁରି । ତ୍ରିପାଠୀ ଏପର୍ଯ୍ୟନ୍ତ ସେଭଳି ବଡ ଇନିଂସ ଖେଳି ନାହାନ୍ତି । ହେଲେ ରସିଦଙ୍କ ବିପକ୍ଷରେ ସେ ଥରେ ମାତ୍ର ଆଉଟ୍ ହୋଇଛନ୍ତି ଓ ମୋଟ୍ ୧୩୫ ରନ୍ ସଂଗ୍ରହ କରିସାରିଛନ୍ତି । ଆସନ୍ତା କାଲି ୱାସିଂଟନ ସୁନ୍ଦର ଏକାଦଶକୁ ଫେରିବା ସମ୍ଭାବନା ରହିଛି । ଆହତ ସମସ୍ୟା ଯୋଗୁଁ ସେ ଗତ ୩ଟି ମ୍ୟାଚ୍ ଖେଳିପାରି ନଥିଲେ । ବର୍ତ୍ତମାନ ସେ ଫିଟ୍ ହୋଇ ଅଭ୍ୟାସ ଜାରି ରଖିଛନ୍ତି । ସୁନ୍ଦର ଏକାଦଶକୁ ଫେରିଲେ ସନରାଇଜର୍ସ ଦଳର ବ୍ୟାଟିଂ ବିଭାଗ ସୁଦୃଢ ହୋଇପାରିବ ।

Leave A Reply

Your email address will not be published.