ଅଯୋଧ୍ୟାରେ ଅଶାନ୍ତି ସୃଷ୍ଟି ପାଇଁ ଷଡ଼ଯନ୍ତ୍ର

ଅଯୋଧ୍ୟା, ଏପ୍ରିଲ ୨୯ : ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ସହର ଅଯୋଧ୍ୟାରେ ଅଶାନ୍ତି ସୃଷ୍ଟି କରିବା ପାଇଁ ହୋଇଥିବା ଉଦ୍ୟମକୁ ପୋଲିସ ବିଫଳ କରିଛି । ଏଠାରେ ପରିସ୍ଥିତି ଖରାପ କରିବା ତଥା ଦଙ୍ଗା ସୃଷ୍ଟି କରିବା ପାଇଁ କିଛି ଖଳ ପ୍ରକୃତିର ଲୋକ ଉଦ୍ୟମ କରିଛନ୍ତି । ସହରର ୨ଟି ମସଜିଦ ସମେତ ୩ଟି ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଧର୍ମଗ୍ରନ୍ଥ ଉପରେ ଆପତ୍ତିଜନକ ଟିପ୍ପଣୀ ଲେଖି ଫିଙ୍ଗା ଜାଇଛି । କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସକ୍ରିୟ ଥିବାରୁ ଦୁର୍ବୃତ୍ତଙ୍କ ଏଭଳି ଚିନ୍ତାଧାରା କୌଣସି କ୍ଷତି ହୋଇପାରି ନାହିଁ । ମାମଲାରେ ଏପର୍ଯ୍ୟନ୍ତ ମୋଟ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୁଧବାର ସକାଳୁ ଅଯୋଧ୍ୟାର ତାଟଶାହ ଓ କଶ୍ମୀରୀ ମୋହଲ୍ଲେର ୨ ପ୍ରମୁଖ ମସଜିଦ୍ ବାହାରେ ଏବଂ ଅନ୍ୟ ଏକ ସ୍ଥାନ ଘୋସିୟାନାରେ ଆପତ୍ତିଜନକ କାଗଜ ପଡ଼ିଥିବା ଦେଖାଯାଇଥିଲା । ଏହି କାଗରେ ଏକ ସଂପ୍ରଦାୟର ପବିତ୍ର ଗ୍ରନ୍ଥରେ ଆପତ୍ତିଜନକ କଥା ଲେଖାଯାଇଥିଲା । ମାତ୍ର ପରିସ୍ଥିତି ବିଗିଡ଼ିବା ପୂର୍ବରୁ ଅଯୋଧ୍ୟା ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚି ସାରିଥିଲେ । ପୋଲିସ ଆଖପାଖର ସିସିଟିଭି କ୍ୟାମେରା ଯାଞ୍ଚ କରୁଛି । ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ୧୧ ଜଣଙ୍କ ଉପରେ ସଂଦେହ କରୁଛି । ଏଥିରୁ ଜଣେ ବ୍ୟକ୍ତି ବାଇକରୁ ଓହ୍ଲାଇ ବିବାଦୀୟ ସାମଗ୍ରୀ ଫିଙ୍ଗଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି । ସଂପୃକ୍ତ ବ୍ୟକ୍ତିମାନେ ନିଜର ପରିଚୟ ଲୁଚାଇବା ପାଇଁ ମୁହଁରେ ମୁସଲିସ ଟୋପି ପିନ୍ଧିଥିଲେ । ସେହିପରି ବାଇକର ନମ୍ବର ପ୍ଲେଟ ମଧ୍ୟ ବଦଳାଇଥିଲେ । ଅଯୋଧ୍ୟା ପୋଲିସ କହିବା ଅନୁସାରେ ଲୋକେ ଜାଣିପାରିବାରୁ ଏକ ବଡ଼ ବିପଦ ଟଳିଯାଇଛି । ସମୟ ପୂର୍ବରୁ ଘଟଣାର ଖୁଳାସା ହୋଇଛି । କିନ୍ତୁ ଧରାପଡ଼ିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏନଏସଏ ଧାରା ଲାଗୁ କରାଯିବ । ଅଯୋଧ୍ୟା ଏସଏସପି ଶୈଳେଶ ପାଣ୍ଡେ କହିଛନ୍ତି ଯେ, ଧାର୍ମିକ ସ୍ଥଳୀ ସମେତ ଅନ୍ୟ ଏକ ସ୍ଥାନରେ ଆପତ୍ତିଜନକ ସାମଗ୍ରୀ ଲେଖାଥିବା କାଗଜ ଜବତ ହୋଇଛି । ପୋଲିସ ଟିମ୍‌କୁ ତତ୍‌କାଲ ସୂଚନା ମିଳିବାରୁ କୌଣସି ଅଘଟଣ ଘଟିନାହିଁ । ପୋଲିସ ମାମଲାର ତଦନ୍ତ କରୁଛି । 

Leave A Reply

Your email address will not be published.