ନୋ-ବଲ୍‌’କୁ ନେଇ ପୁଣି ଅମ୍ପାୟାରଙ୍କ ସହ ଯୁକ୍ତି କଲେ ଋଷଭ ପନ୍ତ

ନୂଆଦିଲ୍ଲୀ, ଏପ୍ରିଲ ୨୯ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୨ର ୪୧ତମ ମୁକାବିଲାରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ୪ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି । ୨ ଥର ଚାମ୍ପିଅନ କୋଲକାତା ଚଳିତ ଆଇପିଏଲ୍‌ରେ ଲଗାତାର ୫ମ ଥର ମ୍ୟାଚ ହାରିସାରିଛି । ଏବେ କୋଲକାତାକୁ ପ୍ଲେ-ଅପ୍ ମ୍ୟାଚ ଖେଳିବା କଷ୍ଟକର ହୋଇପାରେ । ଗୁରୁବାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଅମ୍ପାୟାରଙ୍କ ସହିତ ‘ନୋ-ବଲ୍‌’କୁ ନେଇ ଯୁକ୍ତିତର୍କ କରିଛନ୍ତି । ଏହା ରାଜସ୍ଥାନ ରୟାଲ୍ସ ବିରୋଧରେ ଦିଲ୍ଲୀର ମୁକାବିଲାକୁ ମନେ ପକାଇଦେଇଛି । ଲଲିତ ଯାଦବଙ୍କ ଦ୍ୱାରା ବୋଲିଂ କରାଯାଇଥିବା ୧୭ତମ ଓଭରରେ ଏହି ଯୁକ୍ତିତର୍କ ହୋଇଛି । ଓଭରର ୩ୟ ବଲକୁ ନୀତିଶ ରାଣା ଡିପ୍ ପଏଣ୍ଟ ଉପରକୁ ୬ ରନ୍ ପାଇଁ ପଠାଇ ଦେଇଥିଲେ । ଏହି ବଲ ଉଚ୍ଚରେ ଯାଉଥିବା କାରଣରୁ ଅମ୍ପାୟାର ନୋ-ବଲ୍ ସୂଚନା ଦେଇଥିଲେ । ଋିୟଲ ଟାଇମ୍‌ରେ ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା ଯେ, ଏହା ନୋ-ବଲ୍ ଥିଲା । କିନ୍ତୁ ପନ୍ତ ଅମ୍ପାୟାରଙ୍କର ଏହି ନିଷ୍ପତ୍ତି ନେଇ ଖୁସି ନଥିଲେ । ସେ ଅମ୍ପାୟାର ଅନିଲ ଚୌଧୁରୀଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଅମ୍ପାୟାରଙ୍କ ଦ୍ୱାରା ପୂରା ମାମଲା ବୁଝିବା ପରେ ପନ୍ତ ମାନିଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଯୁକ୍ତିତର୍କର ଭିଡିଓ ଭାଇରାଲ ହୋଇଛି । ତେଣୁ ଚର୍ଚ୍ଚା ହେଉଛି ଯେ, ପନ୍ତଙ୍କର ମ୍ୟାଚ୍ ଫି’ କଟିବ କି?

Leave A Reply

Your email address will not be published.