ସନ୍ଧ୍ୟାରେ କୋଲକାତାକୁ ଭେଟିବ ରାଜସ୍ଥାନ

ନୂଆଦିଲ୍ଲୀ ୦୨/୦୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୨ର ୪୭ତମ ମୁକାବିଲା ଆଜି ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ରେ କେକେଆର ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଟପ୍ ୨ରେ ରହିବାକୁ ଚେଷ୍ଟା କରିବ। ଉଭୟ ଦଳ ନିଜର ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ଏହି ମୁକାବିଲା ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଆଇପିଏଲ ୨୦୨୨ରେ ଦମଦାର ଆରମ୍ଭ  କରିଥିବା ରାଜସ୍ଥାନ ରୟାଲ୍ସ ଗତ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ତେବେ ରାଜସ୍ଥାନର ସବୁ ଖେଳାଳି ଭଲ ଫର୍ମରେ ଅଛନ୍ତି । ଜୋସ୍ ବଟଲର, ସଞ୍ଜୁ ସାମସନ ଭଲ ଖେଳୁଛନ୍ତି । ତେବେ ବୋଲିଂରେ ଦଳ ସାମାନ୍ୟ ଦୁର୍ବଳ ରହିଛି। ଯଦି ରାଜସ୍ଥାନକୁ କୋଲକାତା ବିପକ୍ଷ ମୁକାବିଲା ଜିତିବାକୁ ହୁଏ ତେବେ ଓପନିଂ ବ୍ୟାଟରଙ୍କ ସହ ବୋଲରଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ନିଜର ଲୟ ହରାଇଥିବା ନଜର ଆସୁଛି। ଗତ ମ୍ୟାଚ୍‌ରେ ଦଳର ବୋଲିଂ ଦୁର୍ବଳ ରହିଥିଲା। ଦଳର ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ଏହି ସିଜିନ ଏ ଯାଏଁ ନିରାଶଜନକ ରହିଛି। ଦଳର ଏହି ଟ୍ରମ୍ପ କାର୍ଡକୁ ନିଜର କମାଲ ଦେଖାଇବାକୁ ପଡିବ। ଗତ ସିଜିନରେ କେକେଆର ପାଇଁ ଧମାଲ କରିଥିବା ଭେଙ୍କଟେଶ ଆୟର ମଧ୍ୟ  ଫର୍ମରେ ନାହାନ୍ତି। ମୋଟାମୋଟି ଆଜିର ମ୍ୟାଚ୍ କେକେଆର ପାଇଁ ପରୀକ୍ଷା ସଦୃଶ  ହେବ । ଦଳ ଏହି ମୁକାବିଲା ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ । ନଚେତ ଦଳ ପାଇଁ ପ୍ଲେ ଅଫ କଷ୍ଟକର ହୋଇପାରେ ।

Leave A Reply

Your email address will not be published.