ଉତ୍ତର ପଶ୍ଚିମ ଦିଗକୁ ଯାଉଛି ‘ଅସାନୀ’, ସମୁଦ୍ର ଭିତରେ ୧୦୦ କିମି ବେଗରେ ବହୁଛି ପବନ

ଭୁବନେଶ୍ୱର ୦୯/୦୫:  ଜଳରେ ବାତ୍ୟା, ସ୍ଥଳରେ ବର୍ଷା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନୀ’ ରବିବାର ସନ୍ଧ୍ୟାରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଏହା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ସୋମବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ଆହୁରି ଭୟଙ୍କର ରୂପ ନେବାର ଆଶା କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି ଯେ, ସମୁଦ୍ର ଭିତରେ ବାତ୍ୟାର ପ୍ରଭାବରେ ପବନ ପ୍ରାୟ ୧୦୦ କିମି ବେଗରେ ଅଗ୍ରସର ହେଉଥିବାରୁ ସମୁଦ୍ର ଅଶାନ୍ତ ରହୁଛି । ପୁରୀର ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ ବାତ୍ୟା ଅସାନୀ କେନ୍ଦ୍ରୀଭୂତ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟାର ପ୍ରକୃତ ପ୍ରଭାବ ୧୦ ତାରିଖ ସନ୍ଧ୍ୟା ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିପାରେ । କିନ୍ତୁ ବାତ୍ୟା ସ୍ଥଳଭାଗ ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ସେଥିପାଇଁ ପୁରୀ, କେନ୍ଦ୍ରାପଡ଼ା, ଗଂଜାମ ଓ ଜଗତସିଂହପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ୧୦ତାରିଖରୁ ପୁରୀରେ ବର୍ଷା ଆରମ୍ଭ ହେବ । ୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ୧୨ତାରିଖରେ ପୁରୀ , କଟକ , ଜଗତସିଂପୁରରେ ବର୍ଷା ହେବ । ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ଗଞ୍ଜାମରେ ୨ଟି ଓଡ୍ରାଫ ଟିମ୍ , କୃଷ୍ଣପ୍ରସାଦରେ ଗୋଟିଏ ଟିମ୍ , ଅସ୍ତରଙ୍ଗରେ ଗୋଟିଏ ଟିମ୍ , ମହାକାଳପଡା ଓ ରାଜନଗରରେ ଗୋଟିଏ ଟିମ୍ , ଭଦ୍ରକ, ଓ ବାଲେଶ୍ବରରେ ମଧ୍ୟ ଗୋଟି ଏ ଓଡ୍ରାଫ ଟିମ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯଇଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ଥିବାରୁ ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳରେ ରହିଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଓଡିଶା ପ୍ରତି ବାତ୍ୟା ଅସାନୀର ଭୟ ଟଳିଛି, ତେବେ ୩ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରେ ଲୋକଙ୍କ ଚିନ୍ତା ବଢି ଯାଇଛି ।

Leave A Reply

Your email address will not be published.