ବିଜୟ ଦିବସ ପୂର୍ବରୁ ଆସିଲା ପୁଟିନଙ୍କ ବୟାନ

ନୂଆଦିଲ୍ଲୀ ୦୯/୦୫: ୟୁକ୍ରେନ ବିଜୟ ମୁହାଁ ଋଷ । ମେ ୯ ତାରିଖକୁ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରେ ଋଷ । ଏହି ଦିନ ୟୁକ୍ରେନକୁ ସମ୍ପୂର୍ଣ୍ଣ କବଜା କରି ବିଜୟ ଦିବସ ପାଳନ କରିବା ପାଇଁ ପାଗ ଭିଡିଛନ୍ତି ପୁଟିନ । ତେବେ ବିଜୟ ଦିବସ ପୂର୍ବରୁ ଆସିଛି ଭ୍ଲାଦିମିର ପୁଟିନଙ୍କ ବୟାନ । ଆମ ଯବାନମାନେ ଯୁଦ୍ଧରେ ପ୍ରାଣବଳି ଦେଇଛନ୍ତି । ଯାହା ବ୍ୟର୍ଥ ଯିବନାହିଁ । ୧୯୪୫ରେ ବି ଦେଶର ବିଜୟ ହୋଇଥିଲା । ଏବେ ମଧ୍ୟ ବିଜୟ ସୁନିଶ୍ଚିତ ହେବ ବୋଲି କହିଛନ୍ତି ପୁଟିନ । ରୁଷ-ୟୁକ୍ରେନ୍ ଯୁଦ୍ଧର ଘନଘଟା ମଧ୍ୟରେ ଆଜି ରୁଷ୍ ବିଜୟ ଦିବସ ପାଳନ କରିବାକୁ ଯାଉଛି । ଏହି ଦିନ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ବିରୋଧରେ ସୋଭିଏତ୍ ସଂଘର ବିଜୟ ହୋଇଥିବାରୁ ରୁଷ୍ ପ୍ରତିବର୍ଷ ମେ ୯ରେ ବିଜୟ ଉତ୍ସବ ପାଳନ କରିଆସୁଛି। ସୋଭିଏତ ନେତା ଷ୍ଟାଲିନ୍ ମେ ୯କୁ ବିଜୟ ଉତ୍ସବ ପାଇଁ ଚୟନ କରିଥିଲେ । କାରଣ ଏହି ଦିନ ବର୍ଲିନ ସଂପୂର୍ଣ୍ଣ ଭାବେ ସୋଭିଏତ୍ ସେନା ନିୟନ୍ତ୍ରଣକୁ ଆସିଯାଇଥିଲା। ବିଜୟ ଦିବସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧକୁ ନେଇ କିଛି ବଡ଼ ପଦକ୍ଷେପ ନେଇପାରନ୍ତି। ଏପରିକି ୟୁକ୍ରେନ୍ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା ମଧ୍ୟ ପୁଟିନ୍ ତାଙ୍କ ଭାଷଣରେ କରିପାରନ୍ତି । ଏଭଳି ଘୋଷଣା ହେଲେ ପରିସ୍ଥିତି ଅତି ଭୟାନକ ହେବ ଏବଂ ରୁଷ୍ ର ଆକ୍ରମଣ କେବଳ ୟୁକ୍ରେନ୍ ରେ ସୀମିତ ରହିବ ନାହିଁ। ଏବେ ନାଟୋ ରାଷ୍ଟ୍ରମାନେ ୟୁକ୍ରେନ୍ କୁ ଦେଉଥବା ଅସ୍ତ୍ରକୁ ରୁଷ୍ ଟାର୍ଗେଟ୍ କରୁଥିବା ବେଳେ ପୂର୍ଣ୍ଣାଙ୍ଗ ଯୁଦ୍ଧ ସ୍ଥିତିରେ ରୁଷ୍ ପଡ଼ୋଶୀ ନାଟୋ ରାଷ୍ଟ୍ରମାନଙ୍କୁ ମଧ୍ୟ ଟାର୍ଗେଟ୍ କରିବା ସମ୍ଭାବନା ରହିଛି। ବିଜୟ ଦିବସ ଉପଲକ୍ଷେ ରାଷ୍ଟ୍ରପତି ପୁଟିନ୍ ଦେଶବାସୀଙ୍କୁ ଯେଉଁ ଉଦ୍ ବୋଧନ ଦେବେ ତାହାକୁ ପୂରା ବିଶ୍ବ ଉତ୍କଣ୍ଠାର ସହ ଅପେକ୍ଷା କରିଛି। ଆଜି ପର୍ଯ୍ୟନ୍ତ ୟୁକ୍ରେନ୍ କୁ ନେଇ ପୁଟିନ୍ ଙ୍କ ରଣନୀତି ଉପରେ ସାରା ବିଶ୍ବର ନଜର ରହିଛି ।

Leave A Reply

Your email address will not be published.