ମୁମ୍ବାଇରେ ଥିବା ଦାଉଦ୍‌ ଇବ୍ରାହିମ୍‌ଙ୍କ ସହଯୋଗୀମାନଙ୍କ ଉପରେ ‘ଏନ୍‌ଆଇଏ’ର ଚଢ଼ାଉ

ମୁମ୍ବାଇ: ଆଜି ସମଗ୍ର ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ପଳାତକ ଗ୍ୟାଙ୍ଗ୍‌ଷ୍ଟର୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହଯୋଗୀମାନଙ୍କୁ ଉପରେ ଚଢ଼ାଉ କରିଛି। ବାନ୍ଦ୍ରା, ନାଗପଡ଼ା, ବୋରିୱାଲି, ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍‌ ଆଦି ଅଞ୍ଚଳରେ ଦାଉଦ୍‌ ଇବ୍ରାହିମ୍‌ଙ୍କର ସାର୍ପସୁଟର୍‌, ଡ୍ରଗ୍‌ ଟ୍ରାଫିକର୍, ହାୱାଲା ଅପରେଟର୍ସ, ରିୟଲ ଇଷ୍ଟେଟ୍‌ ମ୍ୟାନେଜର୍‌ ଏବଂ ଅନ୍ୟାନ୍ୟ ପ୍ରମୁଖ ଅପରାଧୀମାନଙ୍କ ଉପରେ ଚଢ଼ାଉ ଚାଲିଛି। ଆତଙ୍କବାଦୀ କାର୍ଯ୍ୟକଳାପ, ସଂଗଠିତ ଅପରାଧ ଏବଂ ଭାରତରେ ଅସ୍ଥିରତା ସୃଷ୍ଟି ନିମିତ୍ତ କାର୍ଯ୍ୟରେ ଶୀର୍ଷସ୍ତରୀୟ ନେତୃତ୍ବ ଏବଂ ଅଧିକାଂଶ ବିଦେଶରେ ବସବାସ କରୁଥିବା ଡି-କମ୍ପାନିର କାର୍ଯ୍ୟକର୍ତ୍ତାଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଚଳିତ ବର୍ଷ ‌ଫେବ୍ରୁଆରି ମାସରେ ‘ଏନ୍‌ଆଇଏ’ ମାମଲା ରୁଜୁ କରିଥିଲା। ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ’ (ୟୁଏପିଏ) ଉପଯୋଗ କରାଯାଇ ଏହି ମାମଲାରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଇଥିଲା। ନିରାପଦ ଆଶ୍ରୟସ୍ଥଳ ପାକିସ୍ତାନର କରାଚିରେ ଥାଇ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଚଳାଇଥିବା ‘ଅଣ୍ଡର୍‌ୱାର୍ଲଡ୍‌ ନେଟ୍‌ୱାର୍କ’ର ସଦସ୍ୟମାନେ କରିଥିବା ଆତଙ୍କବାଦୀ, ଅପରାଧିକ କାର୍ଯ୍ୟକଳାପ ସବୁକୁ ‘ଏନ୍‌ଆଇଏ’ ପର୍ଯ୍ୟାଲୋଚନା କରିବା ସହ ତଦନ୍ତ କରୁଛି। ୨୦୦୩ରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ଦାଉଦ୍‌ ଇବ୍ରାହିମ୍‌ଙ୍କୁ ବୈଶ୍ବିକ ଆତଙ୍କବାଦୀ ଆଖ୍ୟା ଦେବା ସହ ୧୯୯୩ ବମ୍ବେ ବୋମା ବିସ୍ଫୋରଣ ଘଟଣାରେ ତାଙ୍କର ଭୂମିକା ପାଇଁ ତାଙ୍କୁ ଧରାଇ ଦେବାଲାଗି ୨୫ ନିୟୁତ ଆମେରିକୀୟ ଡଲାର୍‌ ପୁରସ୍କାର ଘୋଷଣା କରାଯାଇଥିଲା।

Leave A Reply

Your email address will not be published.