ଜଙ୍ଗଲ ପାଇଁ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କର

ଭୁବନେଶ୍ବର : ଓଡ଼ିଶାରେ ଜଙ୍ଗଲ ପରିସୀମା ବୃଦ୍ଧି ପାଇଛି। ଦେଶରେ ସର୍ବାଧିକ ହେନ୍ତାଳ ବଣ ଯୋଡ଼ିବାରେ ଓଡ଼ିଶା ଆଗରେ ରହିଛି। ୨୦୧୯ରୁ ୨୦୨୧ ମଧ୍ୟରେ ଜଙ୍ଗଲ ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଦେଶରେ ତୃ୍ତୀୟ ସ୍ଥାନ ଅଧିକାର କରିଛି। ସ୍ଥାନୀୟ ଲୋକ, ବନ ସୁରକ୍ଷା ସମିତି ସଦସ୍ୟଙ୍କ ନିରନ୍ତର ସମର୍ଥନ ଓ କ୍ଷେତ୍ର ଜଙ୍ଗଲ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବପର ହୋଇଛି। ଲୋକସେବା ଭବନରେ ଡିଏଫ୍‌ଓମାନଙ୍କ ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଗାମୀ ବର୍ଷରେ ଜଙ୍ଗଲର ଉନ୍ନତି ସହ ସୀମାନ୍ତ ଗ୍ରାମବାସୀଙ୍କ ଜୀବନଧାରଣର ବିକାଶ ପାଇଁ ଏକ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରିବାକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଜଙ୍ଗଲରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ବୃକ୍ଷରୋପଣ ଏକ ପ୍ରମୁଖ ଉପାଦାନ। ଜଙ୍ଗଲ ବିଭାଗ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଯୋଡ଼ିବା ସହ ୫-ଟି କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବାର ଆବଶ୍ୟକତା ରହିଛି। ଏହା ସ୍ବଚ୍ଛତା, ସମୟାନୁବର୍ତ୍ତିତା ଆଣିବ। ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ଏକାଠି ହୋଇ କାର୍ଯ୍ୟକୁ ଉତ୍ସାହିତ କରିବ। ମିଳିତ ବନ ପରିଚାଳନା, ଓଡ଼ିଶା ବନ ବିଭାଗ ବିକାଶ ପ୍ରକଳ୍ପ ଭଳି ଅନେକ କାର୍ଯ୍ୟକ୍ରମ ଜୀବିକା ନିର୍ବାହ ତଥା ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବାରେ ସଫଳ ହୋଇଛି। ମଣିଷ-ହାତୀ ବିବାଦ, ବନ୍ୟଜନ୍ତୁ ଚୋରାଚାଲଣ, ଜଙ୍ଗଲ ଅଗ୍ନିକାଣ୍ଡ ଭଳି ଘଟଣାକୁ ସମ୍ପୂର୍ଣ୍ଣ ହ୍ରାସ ପାଇଁ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। ଜଙ୍ଗଲ ପରିଚାଳନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରିବାରେ ଓଡ଼ିଶାର ଏକ ଅଗ୍ରଣୀ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.