ଆଇଏଏସ ପୂଜା ସିଙ୍ଘଲଙ୍କ ସହ ଅମିତ ଶାହଙ୍କ ଫଟୋ ସେୟାର ମାମଲା : ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ

ନୂଆଦିଲ୍ଲୀ, ୧୬/୦୫:  ଅହମ୍ମଦାବାଦ ପୋଲିସ ଶନିବାର ମୁମ୍ବାଇର ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି । ମିଛ ଫଟୋ ସେୟାର ଓ ଗୁଜବ ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାସହ ତାଙ୍କ ବିରୋଧରେ ରାଷ୍ଟ୍ରୀୟ ପତାକାକୁ ଅପମାନ ଅଭିଯୋହ ଲାଗିଛି । କାରଣ ସେ ତ୍ରିରଙ୍ଗା ସହ ଜଣେ ମହିଳାଙ୍କ ଅଶ୍ଲୀଳ ଫଟୋ ସେୟାର କରିଥିଲେ । ରିପୋର୍ଟ ଅନୁସାରେ, ଅହମ୍ମଦାବାଦ ପୋଲିସକୁ ଗତ ମାର୍ଚ୍ଚ ୧୭ ତାରିଖରେ ଏକ ଫଟୋ ମିଳିଥିଲା । ଯେଉଁଥିରେ ମୁମ୍ବାଇର ଚଳଚ୍ଚିତ୍ର ନିର୍ଦ୍ଦେଶକ ଅବିନାଶ ଦାସ ଏକ ଅଶ୍ଲୀଳ ଫଟୋ ସେୟାର କରିଥିଲେ । ଏଥିରେ ଜଣେ ମହିଳାଙ୍କୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗିତ କରାଯାଇଥିଲା । ଏହାସହ ସେ ମେ ୮ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଝାଡଖଣ୍ଡ କ୍ୟାଡର ଆଇଏଏସ ପୂଜା ସିଙ୍ଘଲ ସହ ଅମିତ ନଜର ଆସିଥିଲେ । ତେବେ ଏହି ଫଟୋ ୫ ବର୍ଷ ପୁରୁଣା ଥିଲା । ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅବିନାଶ ଏପରି ଫଟୋ ସେୟାର କରି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିଛନ୍ତି । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଛବି ଖରାପ କରିବାକୁ ଚେଷ୍ଟା କରିଥିଲେ । ତେବେ ସେ ପୂଜା ସିଙ୍ଘଲଙ୍କ ଫଟୋ ସେୟାର କରି ଟଙ୍କା ଧରା ପଡିବା ପୂର୍ବର ଫଟୋ ବୋଲି ଅବିନାଶ ଲେଖିଥିଲେ । ଅହମ୍ମଦାବାଦ ପୋଲିସର ଅପରାଧିକ ଶାଖା ଆହୁରି ମଧ୍ୟ କହିଛି ଯେ, ତ୍ରିରଙ୍ଗା ସହ ଜଣେ ମହିଳାଙ୍କ ଫଟୋ ଅବିନାଶ ସେୟାର କରିଥିଲେ । ଯାହା ତ୍ରିରଙ୍ଗା ପ୍ରତି ଅପମାନ । ତେଣୁ ଅବିନାଶଙ୍କ ବିରୋଧରେ ଆଇଟି ଧାରା ଅନୁସାରେ ମାମଲା ରୁଜୁ ହୋଇଛି ବୋଲି କହିଛି ପୋଲିସ ।

Leave A Reply

Your email address will not be published.