ଓଡ଼ିଶା ଆସିବେ ପ୍ରିୟଙ୍କା

ଭୁବନେଶ୍ବର : ଓଡ଼ିଶା ଆସିପାରନ୍ତି କଂ‌ଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଓଡ଼ିଶାରେ କଂଗ୍ରେସ ଦଳର ସ୍ଥିତି କିଭଳି ମଜଭୁତ ହୋଇପାରିବ ସେଥିପାଇଁ ପ୍ରିୟଙ୍କା ଏହାର ସମୀକ୍ଷା କରିପାରନ୍ତି। କେବେ ଆସିବେ ଏହାର ତାରିଖ ଖୁବଶୀଘ୍ର ସ୍ଥିର ହେବ। ଜୟପୁରରେ ଏଆଇସିସିର ଚାଲିଥିବା ଚିନ୍ତନ ଶିବିରରୁ ଫେରି ଏ ସଂପର୍କରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଯଦି ପ୍ରିୟଙ୍କା ଓଡ଼ିଶା ଆସନ୍ତି ତାହାଲେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ଏଆଇସିସିର ଉଦୟପୁର ଚିନ୍ତନ ଶିବିର ଗତ ରବିବାର ଶେଷ ହୋଇଛି। କଂଗ୍ରେସର ଅନେକ ନେତାମାନେ ପ୍ରିୟଙ୍କା ଗାନ୍ଧି ଦଳର ମଙ୍ଗ ଧରନ୍ତୁ ବୋଲି ବୈଠକରେ ଦାବି ରଖିଛନ୍ତି। ଏଭଳି ପରିସ୍ଥିତିରେ ପ୍ରିୟାଙ୍କାଙ୍କ ଓଡ଼ିଶା ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। ଚିନ୍ତନ ଶିବିରରେ ପିସିସି ସଭାପତିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇଥିଲା ବେଳେ ଉଭୟ ରାହୁଲ ଓ ପ୍ରିୟଙ୍କା ଓଡ଼ିଶାର ନେତାମାନଙ୍କ ସହିତ ସ୍ବତନ୍ତ୍ରଭାବେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଓଡ଼ିଶା ସଂପର୍କରେ ସ୍ବତନ୍ତ୍ରଭାବେ କିଛି ଆଲୋଚନା ହୋଇ ନ ଥିଲେ ହେଁ ପ୍ରିୟଙ୍କା ସହିତ ନିରଞ୍ଜନ ଏକତ୍ର ଆଲୋଚନା କରୁଥିବା ଫଟୋ ବେଶ୍ ଚର୍ଚାକୁ ଆସିଥିଲା। ଗୋଟିଏ ପଟେ ରାଜ୍ୟରେ ପିସିସି ସଭାପତି ପରିବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଉଭୟ ପ୍ରିୟଙ୍କା-ନିରଞ୍ଜନ ଏକାଠି ଆଲୋଚନା କରିବାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଚିନ୍ତନ ଶିବିର ପରେ ରାଜ୍ୟରେ ନୂଆ ପିସିସି ସଭାପତି ଘୋଷଣା ହୋଇପାରେ। ଯେହେତୁ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେବା ଓ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚା ହେଉଛି, ତେଣୁ ରାଜ୍ୟରେ ବଡ଼ ଧରଣର ସାଙ୍ଗଠନିକ ପରିବର୍ତନ ହୋଇପାରେ ବୋଲି କୁହାଯାଉଛି। ତେବେ କଂ‌ଗ୍ରେସ ହାଇକମାଣ୍ଡଙ୍କ ଉପରେ ସବୁକିଛି ନିର୍ଭର କରୁଛି। ମାତ୍ର ଚିନ୍ତନ ଶିବିରରେ ଏ ସଂପର୍କରେ କୌଣସି ପ୍ରକାର ଆଲୋଚନା ହୋଇ ନ ଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତ ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ। ଖୁବଶୀଘ୍ର ନିଷ୍ପତ୍ତି ହେବ। ଚିନ୍ତନ ଶିବିରରେ ରାଜ୍ୟରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ଉପରେ ବିଶେଷ ଆଲୋଚନା ହୋଇନାହିଁ। ଗାନ୍ଧୀ ଜୟନ୍ତୀରୁ ଦେଶବ୍ୟାପୀ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି। ଯେହେତୁ ଏହା ଦେଶବ୍ୟାପୀ ହେବ ଏଥିରେ ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଆସିପାରନ୍ତି। ବ୍ରଜରାଜନଗର ଉପ-ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ନିଜେ ପ୍ରଚାରକୁ ଓହ୍ଲାଇବା ସହିତ କମ୍ ବ୍ୟବଧାନରେ ହେଲେ ମଧ୍ୟ ନିର୍ବାଚନରେ ବିଜୟ ହେବ ବୋଲି ନିରଞ୍ଜନ କହିଛନ୍ତି।

Leave A Reply

Your email address will not be published.