‘ୟାସ୍‌’କୁ ବର୍ଷେ ବିତିଲା, ତଥାପି ବାବୁଙ୍କ ନିଦ ଭାଙ୍ଗିଲାନି

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀକୋଣା ପଞ୍ଚାୟତ ଚାରିଗୋଛିଆ ଅଞ୍ଚଳରେ ମୁକୁଳା ନଦୀବନ୍ଧ ପାଇଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ୫୦୦ରୁ ଊର୍ଦ୍ଧ୍ବ ପରିବାର। ୟାସ ବାତ୍ୟାକୁ ଇତିମଧ୍ୟରେ ବର୍ଷେ ପୂରିଯାଉଥିବା ବେଳେ ନା ସ୍ଥାନୀୟ ଲୋକ ପ୍ରତିନିଧି ନା ପ୍ରଶାସନ କେହି ସେମାନଙ୍କ ଦୁଃଖ ବୁଝିଲେ ନାହିଁ। ଫଳରେ ଏବେବି ନାହିଁନଥିବା ଅସୁବିଧାରେ ଦିନ କାଟୁଛନ୍ତି। ଏକର ଏକର ଚାଷଜମିରେ ପ୍ରତିଦିନ ବୁଢ଼ାବଳଙ୍ଗ ନଦୀରେ ଆସୁଥିବା ଲୁଣିଜୁଆର ମାଡ଼ି ଚାଷ ଅନୁପୋଯୋଗୀ ହୋଇପଡ଼ିଛି। ଅନ୍ୟପକ୍ଷରେ ଦୁର୍ବଳ ନଦୀବନ୍ଧକୁ ପଥରପ୍ୟାଚିଂ କରିବା ଆଳ‌ରେ କୋଟିକୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ ସମେତ ବଣଚକ ଓ ଖଣ୍ଡକାଳୀ ଅଞ୍ଚଳରେ ୫୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି। କିନ୍ତୁ ବୁଢ଼ାବଳଙ୍କ ନଦୀରେ ଯେତେ ବଡ଼ ବନ୍ୟା ଆସିଥିଲେ ବି ସେମାନେ କେବେ ଅଧିକ କ୍ଷୟକ୍ଷତିର ସମ୍ମୁଖୀନ ହୋଇନଥିଲେ। ଏହାର ମୂଳ କାରଣ ଥିଲା ବୁଢ଼ାବଳଙ୍ଗ ନଦୀର ଆଡ଼ିବନ୍ଧ। କିନ୍ତୁ ଏହି ଆଡ଼ିବନ୍ଧଟି ଦୁର୍ବଳ ହୋଇଥିବାରୁ ଗ୍ରାମବାସୀ ଏହାକୁ ପଥର ପ୍ୟାଚିଂ ସହ ଉଚ୍ଚା କରିବାକୁ ଦାବି କରିଆସୁଥିଲେ। ୨୦୧୮-୧୯ ଆର୍ଥିକବର୍ଷରେ ସେଠା‌ରେ ଏକ ପଥରବନ୍ଧ ପ୍ରକଳ୍ପ ନିର୍ମାଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ୧ କୋଟି ୭୬ ଲକ୍ଷ ୪୭ ହଜାର ୯୩୯ ଟଙ୍କାର ଆର୍ଥିକ ଅନୁଦାନ ମିଳିଥିଲା ଏବଂ ୨୦୧୮ ନଭେମ୍ବର ୨୭ ତାରିଖରେ ଉକ୍ତ ପଥରବନ୍ଧ ପ୍ରକଳ୍ପର କାମ ଆରମ୍ଭ ହୋଇ ୨୦୧୯ ମସିହା ଜୁଲାଇ ୨୬ ତାରିଖରେ ସମ୍ପୂର୍ଣ୍ଣ ହୋଇଥିଲା।

Leave A Reply

Your email address will not be published.