ଭଦ୍ରକରେ ‘ଖୁସି’ ଯୋଜନା ବାଟବଣା

ଭଦ୍ରକ: ସବୁ ଜିଲ୍ଲା ପରି ଭଦ୍ରକ ଜିଲ୍ଲାରେ ମଧ୍ୟ ‘ଖୁସି ’ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ହେଲେ ଏବେ ଏଠାରେ ଯୋଜନା ବାଟବଣା ହୋଇଛି। ଛାତ୍ରୀମାନଙ୍କ ପାଖରେ ସାନିଟାରି ନାପ୍‌କିନ୍‌ ପହଞ୍ଚି ପାରୁନି। ରାଜ୍ୟରେ ଷଷ୍ଠରୁ ଦଶମ ଶ୍ରେଣୀ ଓ ଯୁକ୍ତଦୁଇ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ସରକାର ଖୁସି ଯୋଜନାରେ ନାପ୍‌କିନ୍‌ ଯୋଗାଇ ଦେଉଛନ୍ତି। ୨୦୨୦ ମସିହାରେ ଭଦ୍ରକ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ସବୁ ଦାୟିତ୍ବ ସ୍ବାସ୍ଥ୍ୟ ବିଭାଗ ଉପରେ ନ୍ୟସ୍ତ ଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜରିଆରେ ଭଦ୍ରକ ଅଧୀନ ୭ଟି ବ୍ଲକ୍‌ ଏବଂ ୪ ଟି ପୌରାଞ୍ଚଳରେ ଥିବା ପ୍ରାୟ ୨୨୦୦ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଙ୍କୁ ସାନିଟାରି ନାପ୍‌କିନ୍‌ ଯୋଗାଯାଉଥିଲା। ପ୍ରତି ବ୍ଲକ୍‌ରେ ହୋଇଥିବା ନୋଡାଲ୍‌ ସେଣ୍ଟରକୁ ଏବଂ ସେଠାରୁ ପ୍ରତି ସ୍କୁଲ୍‌ ଓ କଲେଜକୁ ନାପ୍‌କିନ୍‌ ପରିବହନ ପାଇଁ ଠିକାଦାର ମଧ୍ୟ ନିଯୁକ୍ତ ହୋଇଥିଲେ। ଏପରି ସମୟରେ ସଂପୃକ୍ତ ଠିକାଦାର ନାପ୍‌କିନ୍‌ ପରିବହନ ବାବଦକୁ ୨୦୨୦ ମସିହା ପାଇଁ ୮୩ ଲକ୍ଷ ଟଙ୍କା ବିଲ୍‌ କରିଥିଲେ। ତେବେ ଠିକାଦାର ଦେଇଥିବା ଏତେ ଟଙ୍କାର ବିଲ୍‌କୁ ଜିଲ୍ଲା ପ୍ରଶାସନ ପାସ୍‌ କରି ନ ଥିଲା। ତେଣୁ ବାଧ୍ୟ ହୋଇ ଠିକାଦାର ନାପ୍‌କିନ୍‌ ଯୋଗାଣ ବନ୍ଦ କରିବା ସହ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଫଳରେ ଛାତ୍ରୀମାନଙ୍କ ପାଇଁ ସାନିଟାରି ନାପ୍‌କିନ୍‌ ଯୋଗାଣ ବନ୍ଦ ହୋଇଯାଇଥିଲା।

Leave A Reply

Your email address will not be published.