ତାଇଓ୍ୱାନ ଉପରେ ଶୀଘ୍ର ଆକ୍ରମଣ କରିପାରେ ଡ୍ରାଗନ୍

ନୂଆଦିଲ୍ଲୀ ୨୩/୦୫:  ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଏହାମଧ୍ୟରେ ତାଇଓ୍ୱାନ ଉପରେ ଆଖି ପକାଇଛି ଚାଇନା । ତାଇଓ୍ୱାନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ଡ୍ରାଗନ୍ ।  ଏକ ଅଡିଓ କ୍ଲିପରୁ ଏନେଇ ସଙ୍କେତ ମିଳିଛି । ଯେଉଁ ଅଡିଓ କ୍ଲିପ୍ ଲିକ୍ ହୋଇଛି ତାହା ଚାଇନା ସୈନ୍ୟ ଅଧିକାରୀଙ୍କ ବୈଠକର ଅଟେ । ଯେଉଁଥିରେ ଚୀନର ଜଣେ ବରିଷ୍ଠ ଜେନେରାଲ ତାଇଓ୍ୱାନ ଉପରେ ଆକ୍ରମଣ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହି ଅଡିଓକୁ ମାନବାଧିକାର କର୍ମୀ ଜେନିଫର ଝାଙ୍ଗ୍ ସେୟାର କରିଛନ୍ତି । ରିପୋର୍ଟ ଅନୁସାରେ, ଏହି ଅଡିଓ କ୍ଲିପ୍ ୫୭ ମିନିଟର ଅଟେ । ଏଥିରେ ଶୁଣିବାକୁ ମିଳିଛି ଯେ, ଚୀନ ସ୍ଥଳପଥରେ ତାଇଓ୍ୱାନ ଉପରେ ଆକ୍ରମଣ କରିପାରେ । ସାଇବର ଓ ଅନ୍ତରୀକ୍ଷ ସ୍ତରରେ ଆକ୍ରମଣ କରିପାରେ । ଏହାସହ ସାରା ବିଶ୍ୱରେ ଥିବା ବଡ ବଡ ସଂସ୍ଥାରେ ଚୀନ ନିଜ ନାଗରିକଙ୍କୁ ଚାକିରୀ କରିବାକୁ କହୁଛି  ।  ଜେନିଫର୍ ଝାଙ୍ଗ୍ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଚୀନ ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ବୈଠକର ରେକର୍ଡିଂ ଭାଇରାଲ ହୋଇଛି । ଏଥିପାଇଁ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଅନେକଙ୍କୁ ଜେଲ ପଠାଯାଇଛି । ଏହି ଅଡିଓ ଚୀନ ସରକାରରେ ଚାଲିଥିବା ବିଦ୍ରୋହର ଏକ ବଡ ଉଦାହରଣ ଅଟେ । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଚୀନ ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ଏହି ବୈଠକ ମେ ୧୪ରେ ହୋଇଥିଲା । ଏହାକୁ ପ୍ରଥମେ ଲ୍ୟୁଡ୍ ମିଡିଆ ଲିକ୍ କରିଥିଲା । ଅଡିଓ ଚୀନ ସରକାରର ବରିଷ୍ଠ ଅଧିକାରୀ ଲିକ୍ କରିଥିବା ଲ୍ୟୁଡ୍ ମିଡିଆ ଦାବି କରିଥିଲା । ଏହି ଅଡିଓ ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଚୀନ ସେନା ତାଇଓ୍ୱାନରେ ଅନୁପ୍ରବେଶ ବଢାଇ ଦେଇଛି । ଗତ ମାସକରେ ଚୀନ ସେନା ତାଇଓ୍ୱାନ ଆକାଶ ମାର୍ଗକୁ ୬୮ ଯୁଦ୍ଧ ବିମାନ ପଠାଇଥିଲା । ଏଥିରେ ୧୦ଟି ବମ୍ବର୍ସ ଥିଲା । ଯାହାକୁ ନଜରରେ ରଖି ତାଇଓ୍ୱାନ ସରକାର ନିଜ ନାଗରିକଙ୍କୁ ଯୁଦ୍ଧ ହେଲେ କଣ କରିବେ ସେନେଇ ୨୮ ପୃଷ୍ଠାର ଆଡଭାଇଜାରୀ ଜାରି କରିଥିଲା ।  

Leave A Reply

Your email address will not be published.