ଗାଁର ଅନ୍ୟ ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିଲେ ସ୍ୱାମୀ, ସ୍ତ୍ରୀ ଓ ପିଲାଙ୍କୁ ନିସ୍ତୁକ ମାଡ଼

ସାଲେପୁର ୨୬।୦୫: ମହଙ୍ଗା ପଡିଲା ମୋବାଇଲ୍‌କୁ ମେସେଜ୍‌ ପଠାଇବା । ମୋବାଇଲ୍‌କୁ ଅଶ୍ଲୀଳ ମେସେଜ୍‌ ପଠାଇବାକୁ ନେଇ ଗଣ୍ଡଗୋଳ । ସ୍ୱାମୀ-ସ୍ତ୍ରୀ ଓ ପରିବାର ଲୋକଙ୍କୁ ମାଡ ମାରିଥିବା ଅଭିଯୋଗ । କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଗାଁରେ ଚିନ୍ମୟୀ ମହାନ୍ତି ଏଭଳି ଅଭିଯୋଗ ଆଣିଛନ୍ତି । ଘଟଣାକୁ କେନ୍ଦ୍ରକରି ଗାଁରେ ବାବୁଲା ମହାନ୍ତି, ବାବାଜୀ ମହାନ୍ତି, ସାବି ମହାନ୍ତି ଓ ତାଙ୍କ ସ୍ୱାମୀଙ୍କ ଉପରକୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି । ଖବର ଅନୁଯାୟୀ, ରାଇସୁଙ୍ଗୁଡ଼ା ଗାଁର ରବି ମହାନ୍ତି ସେହି ଗାଁର ଜଣେ ମହିଳାଙ୍କୁ ଅଶ୍ଲୀଳ ମେସେଜ୍‌ ପଠାଇଥିଲା । ଏହି ଘଟଣାକୁ ନେଇ ରବି ମହାନ୍ତିଙ୍କ ପରିବାରକୁ ସେହି ଗାଁର ବାବୁଲା ମହାନ୍ତି, ବାବାଜୀ ମହାନ୍ତି, ସାବି ମହାନ୍ତି ଆକ୍ରମଣ କରିଥିଲା । ଘଟଣାସ୍ଥଳରୁ ରବି ମହାନ୍ତି କୌଣସି କ୍ରମେ ଖସି ଆସିଥିବା ବେଳେ ବାବୁଲା ଓ ତାଙ୍କ ସହଯୋଗୀମାନେ ରବିଙ୍କ ସ୍ତ୍ରୀ ଚିନ୍ମୟୀକୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ। ଚିନ୍ମୟୀଙ୍କ ପିଲାମାନେ ଓ ତାଙ୍କ ଶାଶୁ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ ହୋଇଛି। କେବଳ ସେତିକି ନୁହେଁ ଚିନ୍ମୟୀଙ୍କ ୩ ପିଲାଙ୍କୁ ବାବୁଲା ଓ ତାର ସହଯୋଗୀମାନେ ଅଟକ ରଖିବା ସହ ଜୀବନରୁ ମାରିବାକୁ ଧମକ ଦେଉଛନ୍ତି। ଏନେଇ ଚିନ୍ମୟୀ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପର ପକ୍ଷେ ବାବୁଲା ଓ ତାର ସହଯୋଗୀମାନେ ଚିନ୍ମୟୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ଉଭୟ ଅଭିଯୋଗକୁ ଭିତ୍ତିକରି ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.