ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ
୫୦ ହଜାର ଲାଂଚ ନେବା ବେଳେ ଧରାପଡିଲେ

ଫୁଲବାଣୀ : ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ । କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଜଳ ଛାୟା ବିଭାଗର ପ୍ରକଳ୍ପ ସହଯୋଗୀ ନଗେନ୍ଦ୍ରନାଥ ସ୍ୱାଇଁ ୪ଟି ପୋଖରୀ ଖୋଳା କାମ ବାବଦ ବିଲ କରିବା ପାଇଁ ୫୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କ ପାଖରୁ ରଙ୍ଗ ବୋଳା ଟଙ୍କା ଜବତ କରାଯାଇଛି । ଏଥିସହ ନଗେନ୍ଦ୍ରନାଥଙ୍କ ଅଫିସ ଏବଂ ବାଲିଗୁଡା ବାସଭବନ ଓ ଫୁଲବାଣୀ ବାସଭବନରେ ଚଢ଼ାଉ କରିଛି ଫୁଲବାଣି ଭିଜିଲାନ୍ସ ଟିମ । ମିଳିଥିବା ସୂଚନା ଅନୁସାରେ ଜଳଛାୟା ବିଭାଗ ପକ୍ଷରୁ ତୁମୁଡିବନ୍ଧ ବ୍ଲକ ଗୁମା଼ ପଂଚାୟତ ଡୁ଼ପି ଇଡିପଦର ଗ୍ରାମରେ ୪ ଜଣ ହିତାଧିକାରୀଙ୍କ ୪ ଟି ପୋଖରୀ ଖନନ କାର୍ଯ୍ୟ ହୋଇଥିଲା । ଜଣେ ହିତାଧିକାରୀଙ୍କ ସମ୍ପର୍କୀୟ ଦାଦା ସୁବାସ ମଲ୍ଲିକ କାମ ବୁଝାବୁଝି କରୁଥିଲେ । ହେଲେ କାମର ମଷ୍ଟରରୋଲ ବାହାର କରିବା ପାଇଁ ନଗେନ୍ଦ୍ରନାଥ ଗୋଟିଏ ପୋଖରୀ ପିଛା ୩୦ ହଜାର ଲେଖାଏଁ ଟଂକା ଦାବି କରିଥିଲେ । ହିତାଧିକାରୀ ଏହା ଦେଇ ପାରିବେ ନାହିଁ କହିଥିଲେ । ପରେ ୧ ଲକ୍ଷ ଟଂକାରେ କଥା ଛିଡି ଥିଲା । ଏ ନେଇ ସୁବାସ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୂତାବକ ବୁଧବାର କୁର୍ତମଗଡଠାରେ ଟଂକା ନେବା ପାଇଁ ନଗେନ୍ଦ୍ରନାଥ ପହଂଚିଥିଲେ । ବଜାରଠାରୁ କିଛି ଦୂର ଜଙ୍ଗଲ ଭିତର ରାସ୍ତାରେ ସୁବାସ ରହିଥିଲେ । ସେଠାରେ ନଗେନ୍ଦ୍ରନାଥ ପହଂଚି ୫୦ ହଜାର ଟଙ୍କା ଲାଂଚ ଗ୍ରହଣ କରିଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ନଗେନ୍ଦ୍ରନାଥଙ୍କୁ ଧରି ତାଙ୍କ ପାଖରୁ ଟଂକା ଜବତ କରିବା ସହ ଗିରଫ କରିଥିଲେ । ଏ ନେଇ ଭିଜିଲାନ୍ସ ପକ୍ଷରୁ ୬/୨୨ରେ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ଡିଏସ୍‌ପି ଅରୁଣ ନାୟକ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.