ଡେରିରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର ୨୭/୦୫: ଏ ବର୍ଷ ବିଳମ୍ବରେ ଆସିବ ମୌସୁମୀ । କେରଳ ଛୁଇଁବାକୁ ଡେରି ହେବ । ଜୁନ୍‌ ୧୦ ପୂର୍ବରୁ ମୌସୁମୀ ଓଡ଼ିଶା ମାଟି ବି ମାଡ଼ିବାର ସମ୍ଭାବନା କ୍ଷୀଣ । ପୂର୍ବରୁ ଆକଳନ କରାଯାଉଥିଲା, ଜୁନ୍‌ ପ୍ରଥମ ସପ୍ତାହରେ ହିଁ ମୌସୁମୀ ଓଡ଼ିଶା ଛୁଇଁପାରେ । ହେଲେ ମୌସୁମୀ ଯେମିତି ଧିମେଇ ଧିମେଇ ଆସୁଛି, ଜୁନ୍‌ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରାକ୍‌ ମୌସୁମୀ ସମ୍ଭାବନା ବି କମ୍‌ । ବରଂ ଜୁନ୍‌ ପ୍ରଥମ ସପ୍ତାହ ଓଡ଼ିଶାରେ ନିଆଁ ଢାଳିବ । ଡହଡହ ଖରାରେ ଜଳିବ ସାରା ରାଜ୍ୟ । ପାଣିପାଗ ବିଶେଷଜ୍ଞଙ୍କ ତାଜା ଆକଳନ ହେଲା, ଜୁନ୍‌ ପ୍ରଥମ ସପ୍ତାହରେ ତାତି ଚଳିତବର୍ଷର ରେକର୍ଡ ଭାଙ୍ଗିପାରେ । ୪୬-୪୭ ଡିଗ୍ରୀ ସେଲସିୟସ୍‌ ତାତିରେ ଭାଜି ହୋଇଯିବ ଓଡ଼ିଶା । ଆଭ୍ୟନ୍ତରୀଣ କି ଉପକୂଳ, ମିଳିବନି ନିସ୍ତାର । ଗରମ ସାଙ୍ଗକୁ ଭୀଷଣ ଗୁଳୁଗୁଳି କରିବ ଛଟପଟ । ପାଣିପାଗକୁ ନେଇ ଏମିତି ଚରମ ପୂର୍ବାନୁମାନ ଦେଖାଇଲାଣି ବିଶେଷଜ୍ଞ । ଏ ବର୍ଷ ମୌସୁମୀ କେରଳ ଛୁଇଁବା ନେଇ ଯେଉଁ ତାରିଖ (୨୭ ମେ’) ଆକଳନ କରାଯାଇଥିଲା । ହେଲେ ଏ ଅପେକ୍ଷା ଆଉ କିଛି ଦିନ ଲମ୍ବିପାରେ । ମୌସୁମୀ ଠିକଣା ସମୟରେ ଆସିଲେ ବି ଆରମ୍ଭରେ ଭଲ ବର୍ଷା ସମ୍ଭାବନା ନାହିଁ । ଆଗମୀ ଦୁଇ ସପ୍ତାହ ଭିତରେ କୌଣସି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା କ୍ଷୀଣ । ତେଣୁ ମୌସୁମୀ ବିଶେଷ ସକ୍ରିୟ ହୋଇନପାରେ । ସେତିକି ନୁହେଁ, ଜୁନ୍‌ ୧୦ ପୂର୍ବରୁ ମୌସୁମୀ ଓଡ଼ିଶା ମାଟି ମାଡ଼ିବାର ନାହିଁ । ଏମିତିକି ଏ ତାରିଖ ଆହୁରି ଘୁଞ୍ଚିପାରେ ।

Leave A Reply

Your email address will not be published.