ବାଜିରେ ଶ୍ରମିକଙ୍କ ଜୀବନ: ଫୁଙ୍ଗୁଳା ଦେହରେ ପଙ୍କ ଭିତରେ ପଶି କରୁଛନ୍ତି କାମ

କଟକ : ପାଇଖାନା ଟାଙ୍କି, ଗଭୀର ସମ୍ପ୍ ବା ଗଭୀର ଆର୍ବଜନାପୂର୍ଣ୍ଣ ଡ୍ରେନ୍‌ ସଫା ହେବା ବେଳେ ପୂର୍ବରୁ ଅନେକ ଦୁର୍ଘଟଣା ଘଟିଛି। ଶ୍ବାସରୁଦ୍ଧ ହୋଇ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି। ଏହା ସତ୍ତ୍ବେ ଆଜି ପୁଣି ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କାଳିଆବ‌ୁଦା କାଳୀମନ୍ଦିର ସମ୍ମୁଖ ଆବର୍ଜନାପୂର୍ଣ୍ଣ ଗଭୀର ସମ୍ପରୁ ପ‌ଙ୍କୋଦ୍ଧାର ସମୟରେ। ସୁରକ୍ଷା ଦୃଷ୍ଟିରୁ ଯେଉଁଠି ମେସିନ ଲାଗିବା କଥା, ସେଠାରେ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଫୁଙ୍ଗୁଳା ଦେହରେ, ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ବେକେ ପର୍ଯ୍ୟନ୍ତ ପଙ୍କରେ ପଶି ଶ୍ରମିକମାନେ ପଙ୍କୋଦ୍ଧାର କରୁଥିବାର ଦୃଶ୍ୟ ପ୍ରତିକ୍ରିୟା‌ର କାରଣ ହୋଇଛି। ପ୍ରବଳ ଖରା ସାଙ୍ଗକୁ ଉତ୍କଟ ଦୁର୍ଗନ୍ଧରେ ପଙ୍କ କାଢ଼ୁଥିବା ‌ଶ୍ରମିକମାନଙ୍କ ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳର କିଛି ବାସିନ୍ଦା ଏହାର ପ୍ରତିବାଦ କରିବା ସହ କାମ ବନ୍ଦ କରିବାକୁ କହିଥିଲେ। କିନ୍ତୁ ଏଭଳି କାର୍ଯ୍ୟ ନିୟମରେ ହେଉଛି ବୋଲି ସିଏମସିର ଯନ୍ତ୍ରୀ ମତ ଦେବା ଘଟଣା ଏବେ ବିବାଦର କାରଣ ହୋଇଛି। ସୂଚନା ଅନୁଯାୟୀ ସିଏମ୍‌ସି ୪୬ନଂ ୱାର୍ଡ ଅନ୍ତର୍ଗତ ଶିଖରପୁର କାଳିଆବୁଦା କାଳୀମନ୍ଦିର ସମ୍ମୁଖ ସମ୍ପ୍ ଦୀର୍ଘ ଦିନ ହେଲା ସଫା ହୋଇନଥିଲା। ଏହା ସଫା ନହେଲେ ବର୍ଷା ଜଳ ନିଷ୍କାସନ ନହୋଇପାରି ଶିଖରପୁର ତଳସାହି, ଉପରସାହି, ନଦୀକୂଳ ସାହିରେ ପାଣି ପଶିବା ଆଶଙ୍କା ରହିଛି। ଏଥି ପାଇଁ ସ୍ଥାନୀୟ ଶିଖରପୁର ବାସିନ୍ଦାଙ୍କ ପକ୍ଷରୁ ସଂପୃକ୍ତ ସମ୍ପ୍ ସଫା କରିବାକୁ ସିଏମ୍‌ସିରେ ଅଭିଯୋଗ ହୋଇଥିଲା। ଫଳରେ ସିଏମ୍‌ସି ପକ୍ଷରୁ ଟେଣ୍ଡର ହୋଇ ଆଜି ସମ୍ପରୁ ପଙ୍କୋଦ୍ଧାର ଆରମ୍ଭ ‌ହୋଇଥିଲା। କିନ୍ତୁ ଏହି ସମ୍ପଟି ଗଭୀର ହୋଇଥିବା ବେଳେ ଏଥିରେ ପଙ୍କ ସହିତ ପାଣି ରହିଥିବାରୁ ଏଥିରୁ ଲୋକଲଗାଇ ପଙ୍କୋଦ୍ଧାର କରିବା ଶ୍ରମିକଙ୍କ ପାଇଁ ସୁରକ୍ଷିତ ନ‌ୁହେଁ। ପୂର୍ବରୁ ପଟ୍ଟାପୋଲରେ ଏଭଳି ଦୁର୍ଘଟଣା ମଧ୍ୟ ଘଟି ପ୍ରାଣହୀନ ଘଟିଛି। କିନ୍ତୁ ଆଜି ୮/୧୦ଜଣ ଶ୍ରମିକ ଉକ୍ତ ସମ୍ପରେ ପଶି ବେକେ ପାଣିରେ ଠିଆ ହୋଇ ପଙ୍କୋଦ୍ଧାର କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନଙ୍କ ପାଇଁ କିଛି ବି ସୁରକ୍ଷା ବ୍ୟବସ୍ଥା ନଥିଲା। କିମ୍ବା ସିଏମ୍‌ସିର କୌଣସି ଯନ୍ତ୍ରୀ ବା ଠିକାଦାର ସେଠାରେ କେହି ନଥିଲେ। ଏହା ଦେଖି ସ୍ଥାନୀୟ ବାସିନ୍ଦା‌ ଜ୍ୟୋତିରଞ୍ଜନ ରାୟ, ସନ୍ତୋଷ ନାୟକ, ଅଶୋକ ମହାନ୍ତି, କାର୍ତ୍ତିକ ବେହେରା, ସୁରେନ୍ଦ୍ର ସ୍ବାଇଁ, ସୋମନାଥ ମହାରଣା, ସୂର୍ଯ୍ୟକାନ୍ତି ମହାପାତ୍ର ପ୍ରମୁଖ କାର୍ଯ୍ୟରତ ଶ୍ରମିକମାନଙ୍କୁ କାମ ବନ୍ଦ ପାଇଁ ପରାମର୍ଶ ଦେଇଥିଲେ। ଏଠାରେ ମେସିନ ଲଗାଇ ପଙ୍କ କାଢିବାକୁ ବାସିନ୍ଦାମାନେ ଦାବି କରିଥିଲେ।

Leave A Reply

Your email address will not be published.