ପ୍ରତ୍ନତତ୍ତ୍ବ ବିଭାଗ ବେଆଇନ୍‌ ତାଲିକାରେ ପରିକ୍ରମା ପ୍ରକଳ୍ପ: ଭଙ୍ଗା ହେବ କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘର?

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କରିବା ପରେ ପ୍ରକଳ୍ପ ଉପରେ ଅନିଶ୍ଚିତତାର ବାଦଲ ଦେଖାଦେଇଛି। ଏଭଳି ବିବାଦୀୟ ପରିସ୍ଥିତି ଭିତରେ ୧୦ ବର୍ଷ ତଳେ ଶ୍ରୀମନ୍ଦିର ସମ୍ମୁଖରୁ ବଡ଼ଛତା ମଠ, ଛାଉଣୀ ମଠ ଓ ପ୍ରତିହାରୀ ନିଯୋଗ ଘର ଉଚ୍ଛେଦ ପ୍ରସଙ୍ଗ ପୁଣିଥରେ ତାଜା ହୋଇଛି। ସେ ସମୟରେ ଯେଭଳି ଘର ସବୁ ଭଙ୍ଗା ଯାଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିର୍ମାଣ ସରିଥିବା ସବୁ ଘର ସେଭଳି ଭଙ୍ଗା ହେବନି ତ? ଏଭଳି ପ୍ରଶ୍ନ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅତୀତରେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ ବେଳେ ଡାହାଣ ପାର୍ଶ୍ବକୁ ମେଘନାଦ ପାଚେରିକୁ ଲାଗି ବଡ଼ଛତା ମଠ ଦୁଇମହଲା କୋଠା ନିର୍ମାଣ କରିଥିଲା। ଯାହା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକୁ ଅଢ଼ୁଆଳ କରିବା ସହ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିଲା। ପ୍ରତିହାରୀ ନିଯୋଗ ବି ଏହା ପାଖକୁ ଲାଗି ଦୁଇମହଲା କୋଠା ଠିଆ କରିଥିଲା। ଯେଉଁଠି ନିଯୋଗ ନିଜର କାର୍ଯ୍ୟାଳୟ ଖୋଲିଥିଲା। ବାମପାର୍ଶ୍ବରେ ଛାଉଣୀ ମଠ ବି ମଠ କୋଠାକୁ ପ୍ରଶସ୍ତ କରି ଶ୍ରୀମନ୍ଦିରକୁ ଓଗାଳିଥିଲା। ଏହାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୨ ମସିହାରେ ବଡ଼ଛତା ମଠର ଦ୍ବିତୀୟ ମହଲା ସହ ମେଘନାଦ ପାଚେରି ସଂଲଗ୍ନ ଘର ସବୁକୁ ଭଙ୍ଗା ଯାଇଥିଲା। ପ୍ରତିହାରୀ ନିଯୋଗର ଘରକୁ ବି ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା। ଛାଉଣୀ ମଠକୁ ବି ସଂକୁଚିତ କରାଯାଇଥିଲା। ନିକଟରେ ହାଇକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ ବି ଏ ସମ୍ପର୍କରେ ଉଲ୍ଲେଖ କରିଛି ପ୍ରତ୍ନତତ୍ତ୍ବ ବିଭାଗ।

Leave A Reply

Your email address will not be published.