ଭୁବନେଶ୍ବର : ମୃତକଙ୍କ ଡାକ୍ତରୀ ପ୍ରମାଣପତ୍ର(ଏମ୍ସିସିଡି) ପ୍ରଦାନରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଛି। ଏପରିକି ଜାତୀୟ ହାରଠାରୁ ରାଜ୍ୟରେ ଏମ୍ସିସିଡି କମ୍ ରହିଛି। ଯାହାଫଳରେ ଗୋଟିଏ ବର୍ଷରେ ରାଜ୍ୟରେ ଯେତିକି ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି, ସେମାନଙ୍କ ମଧ୍ୟରୁ କେତେ ସଂଖ୍ୟକ ଲୋକ କେଉଁ କେଉଁ ରୋଗରେ ପ୍ରାଣ ହରାଉଛନ୍ତି ତାହା ସ୍ପଷ୍ଟ ହୋଇପାରୁନି। ଯଦିଓ ୨୦୧୯ ତୁଳନାରେ ୨୦୨୦ ମସିହାରେ ଏଥିରେ ଉନ୍ନତି ହୋଇଛି ତଥାପି ଜାତୀୟ ହାରକୁ ହାସଲ କରିବାକୁ ହେଲେ ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ସାର୍ଟିଫିକେସନ୍ ବା ପ୍ରମାଣପତ୍ରର ଆବଶ୍ୟକତା ରହିଛି। ସାମ୍ପୁଲ ରେଜିଷ୍ଟ୍ରେସନ୍ ସିଷ୍ଟମ୍ ବା ଏସ୍ଆରଏସ୍ ୨୦୨୦ର ଏମ୍ସିସିଡି ତଥ୍ୟ ଅନୁସାରେ, ଏହିବର୍ଷ ରାଜ୍ୟରେ ୩,୬୨,୯୮୨ ଜଣଙ୍କ ମୃତ୍ୟୁ ପଞ୍ଜୀକୃତ ହୋଇଛି। ତହିଁରୁ ୫୯,୨୯୬ଜଣ ମୃତକଙ୍କ ଏମ୍ସିସିଡି ସମ୍ଭବ ହୋଇପାରିଛି। ଜାତୀୟ ସ୍ତରରେ ଏହା ୨୨.୫ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହାର ହାର ୧୬.୩ ପ୍ରତିଶତ ରହିଛି। ଗୋଆ, ମଣିପୁର ଭଳି ରାଜ୍ୟରେ ଏହା ଶତ ପ୍ରତିଶତ ହେଉଥିବା ବେଳେ ବିହାରରେ ସର୍ବନିମ୍ନ ୩.୪, ଝାଡ଼ଖଣ୍ଡରେ ଏହା ୬.୧ ପ୍ରତିଶତ ରହିଛି। ତେବେ କ୍ରମାଗତ ଭାବେ ରାଜ୍ୟରେ ଏମ୍ସିସିଡିରେ ଉନ୍ନତି ଦେଖିବାକୁ ମିଳିଛି। ୨୦୧୮ ମସିହରେ ରାଜ୍ୟରେ ମାତ୍ର ୧୧.୧ ପ୍ରତିଶତ ଲୋକଙ୍କ ଏମ୍ସିସିଡି ହୋଇପାରୁଥିବା ବେଳେ ୨୦୧୯ରେ ଏହା ୧୨.୬ ପ୍ରତିଶତ ସହିତ ୨୮ ନମ୍ବର ସ୍ଥାନରେ ରହିଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ୟରେ କମ୍ ସଂଖ୍ୟକ ଲୋକଙ୍କ ଏମ୍ସିସିଡି ହେଉଥିବାରୁ ରାଜ୍ୟରେ କୋଭିଡର ପ୍ରଥମ ଲହରରେ ଏହା ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ।