ସ୍ବଧାର ଗୃହରୁ ଚମ୍ପଟ ମାରିଲେ ୧୨ ଅନ୍ତେବାସିନୀ

ଭବାନୀପାଟଣା : ଭବାନୀପାଟଣା ସଦରବ୍ଲକ ଦୁଆରସୁନୀ ମଶାନପଡ଼ା ନିକଟରେ ଥିବା ସ୍ବଧାର ଗୃହରୁ ୧୨ଜଣ ଅନ୍ତେବାସିନୀ ଚମ୍ପଟ ମାରିବା ଘଟଣା ଚାଞ୍ଚଲ୍ୟ ଖେଳିଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ ମହିଳାଙ୍କୁ ପୁଲିସ ଠାବ କରିଥିବାବେଳେ ଅନ୍ୟ ୬ ଜଣ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହେବା ପରେ ଘର ଲୋକେ ସେମାନଙ୍କୁ ଗ୍ରହଣ ନକରିବା ପରେ ଏହି ମହିଳାଙ୍କୁ ପୁଲିସ ପକ୍ଷରୁ ସ୍ବଧାର ଗୃହକୁ ପଠାଯାଇଥାଏ। ଭବାନୀପାଟଣା ସଦର ବ୍ଲକର ଦୁଆରସୁନୀଠାରେ ଥିବା ଏହି ସ୍ବଧାର ଗୃହରୁ ଗତ ୨୫ ତାରିଖରୁ ୧୨ ଜଣ ମହିଳା ଅନ୍ତେବାସିନୀ ଚମ୍ପଟ ମାରିଥିଲେ। ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ସ୍ବଧାର ଗୃହ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମେଦିନୀପୁରର ଏକ ଛତୁଆ ପ୍ରସ୍ତୁତି କେନ୍ଦ୍ରରୁ ୬ ଜଣଙ୍କୁ ପୁଲିସ୍‌ ଉଦ୍ଧାର କରି ସ୍ବଧାର ଗୃହକୁ ଫେରାଇ ଆଣିଛି। ଏବେ ଆହୁରି ୬ ଜଣ ମହିଳା ନିଖୋଜ ଥିବା ପୁଲିସ ସୂତ୍ରରୁ ପ୍ରକାଶ। ଏନେଇ ଟାଉନ୍‌ ଥାନା ପୁଲିସ୍‌ ଅଧିକାରୀଙ୍କୁ ପଚାରିବାରୁ ଏକ ନିଖୋଜ ମାମଲା ରୁଜୁ ହୋଇଛି। ୧୨ ଜଣଙ୍କ ମଧ୍ୟରୁ ୬ ଜଣ ଠାବ ହୋଇଥିବାବେଳେ ଅନ୍ୟ ୬ ଜଣ ଫେରାର ଅଛନ୍ତି ବୋଲି କହିଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ପୁଲିସ୍‌ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.