କୃଷି ଯନ୍ତ୍ରପାତି ସବ୍‌ସିଡି: ଡିବିଟିରେ ବି କେଳେଙ୍କାରୀ

ଭୁବନେଶ୍ବର : ବିହାର ଗୋଖାଦ୍ୟ ଦୁର୍ନୀତିର ଭୟାବହ ପରିଣାମକୁ ନେଇ ସମ୍ଭବତଃ ଆମ ରାଜ୍ୟର କୃଷି ବିଭାଗ କିଛି ଶିଖିନାହିଁ। ନଚେତ୍ କୃଷି ଯନ୍ତ୍ରପାତି କିଣା ସବ୍‌ସିଡିରେ ‌କୋଟି କୋଟି ଟଙ୍କାର ହେରଫେର୍ କରିବାକୁ ବିଭାଗୀୟ ବାବୁମାନେ କଦାପି ଦୁଃସାହସ କରିନଥାନ୍ତେ। କୃଷିର ବିକାଶ ଓ କୃଷକର ଆୟ ବୃଦ୍ଧି ଲକ୍ଷ୍ୟ ନେଇ ରାଜ୍ୟ ସରକାର କାଳିଆ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ସେହିଭଳି ପ୍ରତିବର୍ଷ ବିହନ, ସାର ଏବଂ କୃଷି ଯନ୍ତ୍ରପାତି କିଣା ବାବଦରେ ପଚାଶ ପ୍ରତିଶତ ପର୍ଯ୍ୟନ୍ତ ସବ୍‌ସିଡି ଦିଆଯାଉଛି। ବାଟମାରଣା ଯେମିତି ନ ହେବ, ସେଥିଲାଗି ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସବ୍‌ସିଡି ଅର୍ଥ ଦେବା ପାଇଁ ପ୍ରତ୍ୟକ୍ଷ ଅର୍ଥ ସ୍ଥାନାନ୍ତର (ଡିବିଟି) ପ୍ରକ୍ରିୟା ଅନୁସରଣ କରୁଛନ୍ତି ସରକାର। ଏହାସତ୍ତ୍ବେ ସବ୍‌ସିଡି ଅର୍ଥ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ବଦଳରେ ଦଲାଲମାନଙ୍କ ଦ୍ବାରା ଅନାୟାସରେ ହଡ଼ପ କରାଯାଉଛି। କେବଳ ଧାନରୁଆ ମେସିନ୍ କିଣା ଘଟଣାକୁ ଉଦାହରଣ ଭାବେ ନେଲେ ଏ ସଂକ୍ରାନ୍ତରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ସବ୍‌ସିଡି ହେରଫେର ସଂପର୍କରେ ରାଜ୍ୟ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏକାଧିକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି। ସେଥିରୁ ଦୁଇଟି ମାମଲାରେ ପାଖାପାଖି ୧୩କୋଟି ଟଙ୍କା ହଡ଼ପ ହୋଇଥିବାର ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ମିଳିବାରୁ ଇଓଡବ୍ଲୁ ଏ ସଂକ୍ରାନ୍ତରେ ଅଧିକ ଖୋଳତାଡ଼ ଆରମ୍ଭ କରିଛି।

Leave A Reply

Your email address will not be published.