ଜନତା ମୁହଁ ଖୋଲନ୍ତୁ, ଭବିଷ୍ୟତ ଦେଖନ୍ତୁ: ଶଙ୍କରାଚାର୍ଯ୍ୟ

ପୁରୀ : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଦୃଷ୍ଟିକୋଣରୁ ଯାହା କହିବା ମୋର ଦାୟିତ୍ବ, ତାହା କହିଛି। ନିର୍ଭିକତା ଓ ସ୍ପଷ୍ଟର ସହ କହୁଛି, ତୀର୍ଥସ୍ଥଳୀ, ତପୋଭୂମିକୁ ଭୋଗଭୂମି କରିଦେବା, ସୁରା, ସୁନ୍ଦରୀଙ୍କ କେନ୍ଦ୍ରସ୍ଥଳୀ କରିଦେବା ଅର୍ଥ ତୀର୍ଥସ୍ଥଳୀର ଅସ୍ତିତ୍ବ ଓ ଆଦର୍ଶକୁ ବିଲୁପ୍ତ କରିଦେବା। ଯାହା ସର୍ବଦା ଅନୁଚିତ। ସମ୍ବିଧାନର ଏହା ଦୃଢ଼ ବିରୋଧୀ। ଆଜି କାଶୀ ଗସ୍ତ ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏଭଳି ଢଙ୍ଗରେ ବର୍ଷିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଜଗଦଗୁରୁ ଗଣମାଧ୍ୟମକୁ କହିଛନ୍ତି ଯେ ଯେବେ ମୁଁ ଓଡ଼ିଶାରେ ରହୁନି ସେବେ କାମ ହେଉଛି। ଏହା ଅର୍ଥ ଶାସନତନ୍ତ୍ରର ମୋ ପ୍ରତି ଭୟ ରହିଛି। ଜନତା ଯଦି ମୁଣ୍ଡ ନୁଆଁଇ ଲହୁଣୀ ଖାଇ ବସିବେ, ଏହା ବିରୋଧରେ କହିବା କେବଳ ଶଙ୍କରାଚାର୍ଯ୍ୟଙ୍କ ଦାୟିତ୍ବ ବୋଲି ଭାବିବେ, ଜନମତକୁ ଅନୁକୂଳ ଭାବି ଶାସନତନ୍ତ୍ର ଏହାର ଲାଭ ଉଠାଇ ପାରନ୍ତି। କିନ୍ତୁ ମୋର ଭାବନା ହେଉଛି କି ଭବିଷ୍ୟତକୁ ଦେଖି ଜନତା ବି କହିବା ଦରକାର, ଭବିଷ୍ୟତ ଶଙ୍କାକୁ ନଜରରେ ରଖି ମୁହଁ ଖୋଲିବା ଦରକାର।ଶଙ୍କରଚାର୍ଯ୍ୟ କହିଛନ୍ତି, ପୁରୀକୁ ଦିଲ୍ଲୀ ଭଳି ରୂପ ଦେବା ଠିକ୍‌ ନୁହେଁ। ସୁବ୍ରମଣ୍ୟମ ସ୍ବାମୀଙ୍କ ସହ ବି କଥା ହୋଇଥିଲି। ତାଙ୍କ ମତରେ କୌଣସି ଶାସନତନ୍ତ୍ରକୁ ମନ୍ଦିର ଭାଙ୍ଗିବାର ଅଧିକାର ସମ୍ବିଧାନ ଦେଇନି। ମୁଁ ବିକାଶର ପକ୍ଷଧର, କିନ୍ତୁ ବିକାଶ ନାଁରେ ତୀର୍ଥସ୍ଥଳୀର ଅସ୍ତିତ୍ବ ଓ ଆଦର୍ଶକୁ ବିଲୋପ କରିଦେବା ଆଦୌ ଗ୍ରହଣୀୟ ନୁହେଁ। କୌଣସି ରାଜନୈତିକ ଦଳ ଏମିତି ନାହିଁ, ଯେଉଁମାନେ ସତ୍ତା, ଲୋଲୁପରୁ ମୁକ୍ତ ନୁହନ୍ତି। କୌଣସି ରାଜନେତା ଯଦି ‌ମୋର କଥାକୁ ଶୁଣୁନାହାନ୍ତି, ତେବେ ରାଜନୈତିକ, ବିକାଶର ପରିଭାଷା କ’ଣ ବୁଝାଇ ଏହାକୁ କାର୍ଯ୍ୟକାରୀ କରନ୍ତୁ। ମୋ ମତରେ ରାଜନୀତି ଓ ବିକାଶର ପରିଭାଷା ହେଉଛି, ଶାସ୍ତ୍ରସମ୍ମତ, ସୁସଂସ୍କୃତ, ସୁରକ୍ଷିତ, ସୁଶିକ୍ଷିତସଂପନ୍ନ ସେବା ପରାୟଣ ‌ମନୋବୃତ୍ତି ସହ ସୁସ୍ଥ ସମାଜ ଗଠନ। ଯାହାକୁ ଏହି ପରିଭାଷା ଜଣାନାହିଁ, ସେମାନେ କିଭଳି ଶାସନ କରିବେ? ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପଦରେ ବସି ବି ଯଦି ଏହି ପରିଭାଷା ଜଣାନାହିଁ, ସେମାନେ ରାଜନେତା କହିବା ଯୋଗ୍ୟ ନୁହନ୍ତି। ଓଡ଼ିଶାରେ ଶାସକ ବିଜେଡି ସହିତ ବିଜେପି ମିଶିକି ଅଛି, କଂଗ୍ରେସ ଅସ୍ତିତ୍ବ ହରାଇଛି। ଓଡ଼ିଶାରେ ଏମିତି ଦଳ ନାହିଁ, ଯିଏ ଶାସକ ଦଳକୁ ଚ୍ୟାଲେଞ୍ଜ ଦେବାକୁ ସମର୍ଥ ରଖିଛି।ବିମାନ ବନ୍ଦର ଉପରେ ଟିପ୍ପଣୀ ରଖି ଶଙ୍କରାଚାର୍ଯ୍ୟ କହିଛନ୍ତି, ଏହା ହେଲେ ଆତଙ୍କୀ କାର୍ଯ୍ୟକଳାପ ବଢ଼ିବ। ଘାତକ କାର୍ଯ୍ୟକ୍ରମ ବଢ଼ିବ। ମୋର ଦାୟିତ୍ବ ସତର୍କ କରିବା, କେହି ମାନନ୍ତୁ କି ନ ମାନନ୍ତୁ। ମୁଁ ମୋ ଦାୟିତ୍ବ ତୁଲାଇଛି, ଏଥିରେ ମୁଁ ସନ୍ତୁଷ୍ଟ। ଜନତାଙ୍କ ଦୃଷ୍ଟିକୋଣ ବର୍ତ୍ତମାନରେ ସୀମିତ ରହିଛି, କେହି ଭବିଷ୍ୟତ ଦେଖୁନାହାନ୍ତି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

Leave A Reply

Your email address will not be published.