ଝାରସୁଗୁଡ଼ା ୩୧।୦୫ : ଆଜି ବ୍ରଜରାଜନଗର ଉପନିର୍ବାଚନ। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟ୍ ଗ୍ରହଣ । ଭୋଟ୍ ଦେବେ ୨ଲକ୍ଷ ୧୪ହଜାର ୮୭୮ ଭୋଟର। ଭୋଟ ଗ୍ରହଣ ପାଇଁ ୨୭୯ ବୁଥ ହୋଇଛି । ଏଥର ୬୦ଟି ବୁଥ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭିଡିଓଗ୍ରାଫି କରାଯାଉଛି । ସେହିଭଳି ୫ଟି ପିଙ୍କ୍ ବୁଥ, ୩୦ଟି ଆଦର୍ଶ ବୁଥ କରାଯାଇଛି । ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଗ୍ରହଣ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ଏଥର ବୁଥ୍ରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନ ମୁତୟନ କରାଯାଇଛି । ପ୍ରବଳ ଖରାକୁ ନଜରରେ ରଖି ବୁଥ ଗୁଡ଼ିକରେ ପାନୀୟ ଜଳ ସହ ଓଆରଏସ୍ ପ୍ୟାକେଟ୍ ରଖିବାର ବ୍ୟବସ୍ଥା ହୋଇଛି । ଏଥି ସହ ପ୍ରତିବୁଥରେ ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ଛତିଶଗଡ଼ ସୀମାକୁ ମଧ୍ୟ ସିଲ୍ କରାଯିବା ସହ ଝାରସୁଗୁଡ଼ାର ଜିଲ୍ଲାକୁ ସମସ୍ତ ପ୍ରବେଶ ପଥରେ ପୋଲିସର କଡ଼ା ପହରା ଦେଖିବାକୁ ମିଳୁଛି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସହ ପ୍ରାୟ ୧ ହଜାର ପୋଲିସ କର୍ମୀଚାରୀଙ୍କୁ ନିୟୋଜିତ କରାଯାଇଛି । ବ୍ରଜରାଜନଗରରେ ଦ୍ବିତୀୟ ଥର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏଠାରେ ପୁଣି ଥରେ ବିଧାୟକ ବାଛିବାକୁ ଯାଉଛନ୍ତି ବ୍ରଜରାଜନଗର ବାସିନ୍ଦା । ନିର୍ବାଚନ ମଇଦାନରେ ଅଛନ୍ତି ୧୧ ପ୍ରାର୍ଥୀ। ତେବେ ଏଠାରେ ମୁଖ୍ୟତଃ ବିଜେଡି-ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ବେଳେ ଭୋଟର କାହା ସପକ୍ଷରେ ମତ ଦେଉଛନ୍ତି ତା’ ଉପରେ ରହିଛି ନଜର ।