ଶୀତଳ ଷଷ୍ଠୀ ଯାତ୍ରା: ବିରାଟ ପଟୁଆରରେ ଯାଇ ମୁଖ୍ୟ ଦେବାଦେବୀଙ୍କୁ ନିମନ୍ତ୍ରଣ କଲେ ନୃସିଂହ ମହାପ୍ରଭୁ

ସମ୍ୱଲପୁର ୦୨/୦୬: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଅନୁଷ୍ଠିତ ହୋଇଯାଇଛି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ବା ନୃସିଂହ ନିଉତା । ଦେବ ଦେବ ମହାଦେବଙ୍କ ବାହାଘର ପାଇଁ ବିମାନରେ ବିଜେ କରି ନୃସିଂହ ମହାପ୍ରଭୁ ନିମନ୍ତ୍ରଣରେ ବାହାରିଥିଲେ । ସମ୍ବଲପୁର ସହରର ମୁଖ୍ଯ ଦେବାଦେବୀଙ୍କୁ ବାହାଘର ନିମନ୍ତ୍ରଣ ଦେଇଛନ୍ତି ନୃସିଂହ ମହାପ୍ରଭୁ । ବିରାଟ ପଟୁଆରରେ ବାହାରି ପଇତା, ଗାମୁଛା, ଗୁଆ, ହଳଦୀ, ମିଠା ନେଇ ନିମନ୍ତ୍ରଣ ଦେଇଛନ୍ତି ନୃସିଂହ ମହାପ୍ରଭୁ । ମହାଦେବ ଓ ମାତା ପାର୍ବତୀଙ୍କ ଦେବ ବିବାହର ନିମନ୍ତ୍ରଣର ଗୁରୁଦାୟିତ୍ୱ ଭଗବାନ ବିଷ୍ଣୁ ନେଇଛନ୍ତି । ଏହି କ୍ରମରେ ତାଙ୍କର ଅନ୍ୟତମ ଅବତାର ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁ ବୁଧବାର ରାତ୍ର ପ୍ରାୟ ୯ଟାରେ ଏକ ସୁସଜ୍ଜିତ ରଥରେ ରଥାରୁଢ ହୋଇ ବିଭିନ୍ନ ମନ୍ଦିରକୁ ଯାଇ ସମସ୍ତ ଦେବତା ଓ ଦେବୀମାନଙ୍କୁ ବିବାହର ନିମନ୍ତ୍ରଣ ପ୍ରଦାନ କରିଛନ୍ତି । ବାଲୁଙ୍କେଶ୍ୱର ମନ୍ଦିରରେ ଶ୍ରୀ ନୃସିଂହ ମହାପ୍ରଭୁ ସେବକ ଅରୁଣକାନ୍ତି ମିଶ୍ର, ଚକ୍ରଧର ମିଶ୍ର, ଆଶୁତୋଷ ମିଶ୍ର, ଆଭାଶିଷ ମିଶ୍ର, ଅବିନାଶ ମିଶ୍ର ଓ ଅଶୋକ ପାଣି ଆଭୂଷଣ ଓ ଅଳଙ୍କାରରେ ସଜ୍ଜିତ କରି ପୂଜାର୍ଚ୍ଚନା କରିଥିଲେ । ଏହା ପରେ ପରିସରରେ ଥିବା ପାଶ୍ୱର୍ ଦେବାଦେବୀଙ୍କୁ ପ୍ରଥମେ ନିମନ୍ତ୍ରଣ କରିଥିଲେ ନୃସିଂହ ମହାପ୍ରଭୁ । ପରେ ବରିହା ମନ୍ଦିର, ବ୍ରହ୍ମପୁରା ମନ୍ଦିର, କଂସଲେଇ ମନ୍ଦିର, ସତ୍ୟବାଦୀ, ମଦନମୋହନ, ଲିଆଖାଇ, ବାଟମଙ୍ଗଳା, ଭୁବନେଶ୍ୱରୀ, ହନୁମାନ, ରାଧାକୃଷ୍ଣ, ଦଧିବାବନ ଇତ୍ୟାଦି ମନ୍ଦିର ଗୁଡିକୁ ଯାଇ ଦେବାଦେବୀ ମାନଙ୍କୁ ଗୁଆ, ନଡିଆ ଓ ମିଷ୍ଟାନ୍ନ ପ୍ରଦାନ କରି ମହାଦେବ ଓ ପାର୍ବତୀଙ୍କର ଲୌକିକ ବିବାହ ପାଇଁ ନିମନ୍ତ୍ରଣ କରିଥିଲେ । ଏହି ନିଉତା ଶୋଭାଯାତ୍ରାରେ ପାରମ୍ପରିକ ଘଣ୍ଟ, ଶଙ୍ଖ, ବିରକାଳି, ଦୁଲଦୁଲି, ଧମାଲ ବାଦ୍ୟ ସାମିଲ ହୋଇଥିଲା ।

Leave A Reply

Your email address will not be published.