ରାଜ୍ୟରେ ଆଗାମୀ ଦୁଇ ଦିନ ଗ୍ରୀଷ୍ମ ଲହରୀ ବହିବ । ମଙ୍ଗଳବାର ଓ ବୁଧବାର ଅସମ୍ଭାଳ ତାତି ହେବ । ବରଗଡ଼, ସୋନପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ । ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ ସୂଚନା ଜାରି କରିଛନ୍ତି । ସେପଟେ ତାମିଲନାଡୁ ପାଖରେ ମୌସୁମୀ ଅଟକି ରହିଛି । ଏହା ସୁପ୍ତ ହୋଇରହିଛି । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ମୌସୁମୀ ସକ୍ରିୟ ହେବାର ଆଶା ଦେଖାଦେଇଛି । ସୋମବାର ୧୩ ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା । ଟିଟିଲାଗଡର ତାପମାତ୍ରା ସର୍ବାଧିକ ୪୪.୬ ଡିଗ୍ରୀ ରେକର୍ଡ ହୋଇଥିଲା ।
ମଙ୍ଗଳବାର ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ତାତି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅସୁସ୍ଥ ଓ ବୃଦ୍ଧ ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବୁଧବାର ମଧ୍ୟ ଗୀଷ୍ମ ଲହରୀ ଜାରି ରହିବ । ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ଏହି ୪ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।୭ ଓ ୮ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ରାଜ୍ୟରେ ମୌସୁମୀ ପହଞ୍ଚିବାକୁ ଆହୁରି ବିଳମ୍ବ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।