ସତର୍କ ଘଣ୍ଟି ! ମହାରାଷ୍ଟ୍ରରେ ବଢ଼ିଲା ୮୧ ପ୍ରତିଶତ କରୋନା ମାମଲା; ମୁମ୍ୱାଇରେ ଦୁଇଗୁଣ ହେଲା ସଂକ୍ରମଣ

ମୁମ୍ୱାଇ ୦୭/୦୬ : ମଙ୍ଗଳବାର ମହାରାଷ୍ଟ୍ରରେ ୧୮୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ କରୋନାର ୮୧ ପ୍ରତିଶତ ମାମଲା ବଢ଼ିଥିବା ଦେଖାଯାଇଛି ଯାହାକି ଏବେ ଚିନ୍ତାର କାରଣ ପାଲଟିଛି। ଫେବୃଆରୀ ୧୮ ପରେ ମଙ୍ଗଳବାର ସବୁଠାରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛିଯେ ଏହା ମଧ୍ୟରେ ଜଣେ ସଂକ୍ରମିତଙ୍କ ଠାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। କରୋନାର ଏପରି ସଂକ୍ରମଣ ବଢ଼ିବା ବର୍ତ୍ତମାନ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଇପାରେ। ମୁମ୍ୱାଇରେ ମଙ୍ଗଳବାର କରୋନାର ୧,୨୪୨ଟି ନୂଆ ମାମଲା ଚିହ୍ନଟ ହୋଇଛି। ଯାହାକି ସୋମବାର କୋଭିଡ ସଂକ୍ରମଣ ତୁଳନାରେ ଦୁଇଗୁଣ ଅଟେ। ଏହା ମଧ୍ୟରେ ଆଶ୍ୱସ୍ତିପ୍ରଦ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡରେ କାହାରି ମୃତ୍ୟୁ ହୋଇନାହିଁ। ସୋମବାର ରାଜ୍ୟରେ ୧,୦୩୬ଟି କରୋନା ମାମଲା ଚିହ୍ନଟ ହୋଇଥିଲା। ସେହିପରି ମୁମ୍ୱାଇରେ ୬୭୬ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଉଲ୍ଲେଖ ଯୋଗ୍ୟଯେ ସପ୍ତାହ ଶେଷରେ କୋଭିଡ୍‌ ପରୀକ୍ଷା କମ୍‌ ହୋଇଥିବାରୁ ସୋମବାର ଅଳ୍ପ କୋଭିଡ୍‌ ମାମଲା ସାମ୍ନାକୁ ଆସିଛି ବୋଲି କୁହାଯାଉଛି। ମହାରାଷ୍ଟ୍ର କୋଭିଡ୍‌ ପରିସଂଖ୍ୟାନ ୭୮ଲକ୍ଷ ୯୬ହଜାର ୧୧୪ରେ ପହଞ୍ଚିଛି। ସେହିପରି ସେଠାରେ କୋଭିଡ କାରଣରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୭ହଜାର ୮୬୬ଜଣ ପ୍ରାଣ ହରାଇଛନ୍ତି। ସେହିପରି ବି.ଜେ. ଚିକିତ୍ସା ମହାବିଦ୍ୟାଳୟର ଜିନୋମୋ ସିକ୍ୱେନସିଙ୍ଗ ଅନୁସାରେ ପୁଣେର ଜଣେ ୩୧ ବର୍ଷୀୟ ମହିଳାଙ୍କ ଠାରେ ଓମିକ୍ରନ ସଂକ୍ରମଣ ଚିହ୍ନଟ କରାଯାଇଛି। ସେହି ମହିଳାଙ୍କ ଠାରେ କୌଣସି ଲକ୍ଷଣ ନଥିଲା। ସେ ଏବେ ଗୃହ ସଙ୍ଗରୋଧରେ ଅଛନ୍ତି।  

Leave A Reply

Your email address will not be published.