ହାତୀ ସୁରକ୍ଷା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ୯।୬: ହାତୀ ସୁରକ୍ଷା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି । କଟକ ବାସିନ୍ଦା ଗୀତା ରାଉତ ମାମଲା ଦାୟର କରିଛନ୍ତି । ବନ୍ୟଜନ୍ତୁ ଶିକାର ରୋକିବା ଏବଂ ଶିକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ପାଇଁ ଆବେଦନ କରିଛନ୍ତି । ନରସିଂହପୁରରେ ହାତୀକୁ ଗୁଳି ମାଡ଼ ଘଟଣାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆବେଦନକାରିଣୀ ଗୀତା ରାଉତ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ହାତୀଙ୍କର ଶିକାର ହେଉ ଅବା ରେଳଲାଇନ୍‌ ଧାରଣାରେ କଟି ହାତୀଙ୍କ ମୃତ୍ୟୁ ହେଉ ଏଭଳି ଅଘଟଣ ନିତିଦିନିଆ କଥାରେ ପରିଣତ ହୋଇଛି । ଯଦି ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨କୁ କଠୋର କରାନଯାଏ ତାହେଲେ ହାତୀ ଶିକାର ହ୍ରାସ ପାଇବ ନାହିଁ ।  ଆସାମରେ ହାତୀ ଶିକାରକୁ ରୋକିବ ପାଇଁ ସେଠାକାର ସରକାର ୨୦୧୦ ଅକ୍ଟୋବର ୨୦ ଏକ ସଂଶୋଧିତ ବିଜ୍ଞପ୍ତି ଜରିଆରେ କଠୋର ଆଇନ ଲାଗୁ କରିଛନ୍ତି । ଯେଉଁଥିରେ ଜରିମାନା ଓ ଜେଲ ଦଣ୍ଡକୁ ଅଧିକ ପ୍ରଭାବଶାଳୀ କରାଯାଇଛି । ଏପରିକି ପୁନର୍ବାର ସମାନ ଅପରାଧ କରୁଥିବା ଅଭିଯୁକ୍ତମାନଙ୍କୁ ଆଜୀବନ ଜେଲ୍‌ ଦଣ୍ଡର ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି । କେବଳ ସେତିକି ନୁହେଁ, ଆସାମର ପ୍ରତି ନିମ୍ନ ଅଦାଲତରେ ବନ୍ୟପ୍ରାଣୀ ସଂକ୍ରାନ୍ତ ସମସ୍ତ ମାମଲାରେ ପ୍ରାଥମିକତା ଭିତ୍ତିରେ ଶୁଣାଣି କରାଯାଉଛି । ସେହି ଆଧାରରେ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀ ପ୍ରାର୍ଥନା କରିଛନ୍ତି ।  ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ଏହି ମାମଲା ରୁଜୁ କରିଛନ୍ତି ।

Leave A Reply

Your email address will not be published.