୨୪ ଘଣ୍ଟାରେ ଓଡିଶା ଛୁଇଁବ ମୌସୁମୀ, ଆରମ୍ଭରୁ ହେବନି ବେଶୀ ବର୍ଷା

ଭୁବନେଶ୍ୱର, ୧୬/୦୬:   ମୌସୁମୀ ଦୁଆର ମୁହଁରେ ପହଞ୍ଚିଗଲାଣି । ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଏହାର ପ୍ରାକ୍‌ ସଙ୍କେତ ଦେଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ଯେ କୌଣସି ସମୟରେ ଓଡ଼ିଶା ମାଟି ଛୁଇଁବା ସମ୍ଭାବନା ଅଛି । ତେବେ ଚିନ୍ତାର ବିଷୟ ହେଲା, ଆରମ୍ଭରୁ ମୌସୁମୀ ଭଲ ବର୍ଷା ଦେବନି । ତୃତୀୟ ସପ୍ତାହ ବେଳକୁ ମୌସୁମୀ ପ୍ରବାହ ଅଧିକ ସକ୍ରିୟ ହେବା ସହ ରାଜ୍ୟରେ ବର୍ଷା ବଢ଼ିବ । ପାଣିପାଗ ବିଭାଗ କହିଛି, ମୌସୁମୀ ବୁଧବାର ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି । ଓଡ଼ିଶାରେ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ସମ୍ଭବତଃ ୨୪ରୁ ୪୮ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁପାରେ । ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବରିଷ୍ଠ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଦିନେ ଦୁଇଦିନରେ ମୌସୁମୀ ଓଡ଼ିଶା ଛୁଇଁବ । ମାତ୍ର ଆରମ୍ଭରୁ ମୌସୁମୀ ପ୍ରବାହ ସେତେ ଶକ୍ତିଶାଳୀ ରହିବ ନାହିଁ। ତେଣୁ ମୌସୁମୀ ଆଗମନ ସତ୍ତେ୍ୱ ଏବେ ଭଲ ବର୍ଷା ସମ୍ଭାବନା କମ୍‌ । କେବଳ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ। ମୌସୁମୀ ପ୍ରବାହ ସକ୍ରିୟ ହେଲାବେଳକୁ ଜୁନ୍‌ ୨୨/୨୩ ତାରିଖ ହୋଇଯିବ । ତା’ପରେ ବର୍ଷା ବଢ଼ିବ ଓ ଅଧିକ ହେବ।

Leave A Reply

Your email address will not be published.