ରାଜ୍ୟରେ ମୌସୁମୀ ସକ୍ରିୟ

ଭୁବନେଶ୍ୱର, ୧୭।୦୬ : ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରବେଶ କରିଛି । ଏହାବାଦ୍‌ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏହି ଦାବି କରିଛି । ଆଇଏମ୍‌ଡି ଆକଳନ କରିଛି, ପାଗ ଅନୁକୂଳ ଥିବାରୁ ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ମାଡ଼ିପାରେ ମୌସୁମୀ । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକୁ ମୌସୁମୀ ଆଗେଇବ । ବହୁପ୍ରତୀକ୍ଷିତ ମୌସୁମୀ ଏଥର ବିଳମ୍ବରେ ଓଡ଼ିଶା ଆସିଛି । ମୌସୁମୀ ପ୍ରବେଶ ପରେ ବି ପାଗ ବଦଳିଥିଲେ ବି ବର୍ଷା ସେଭଳି ନାହିଁ । ହେଲେ ପାଗ ବଦଳିଥିବାରୁ ପାରଦ ଖସିଛି । ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ରାଜ୍ୟତମାମ ତାପମାତ୍ରା ୩୯ ଡିଗ୍ରୀ ତଳେ ରହିଛି । ମାଲକାନଗିରି ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ କୋରାପୁଟ ୩୩.୫, ନବରଙ୍ଗପୁରରେ ୩୨ ଡିଗ୍ରୀ ରେକର୍ଡ ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି, ବର୍ଷା ବଢ଼ିଛି । ବର୍ତ୍ତମାନ ରାଜ୍ୟରେ ୭.୨ ମିଲିମିଟର ସ୍ୱାଭାବିକ ବର୍ଷା ହେବା କଥା, ମାତ୍ର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯.୯ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକଠୁ ୩୯ ପ୍ରତିଶତ ଅଧିକ । ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ପ୍ରାୟ ନଥିଲା । ନିଅଣ୍ଟିଆ ବର୍ଷା ସ୍ଥିତି ଦେଖା ଦେଇଥିଲା । ଜୁନ୍‌ ୧ରୁ ୧୫ ତାରିଖ ମଧ୍ୟରେ ୭୩% ନିଅଣ୍ଟିଆ ବର୍ଷା ଭଳି ପରିସ୍ଥିତି ଥିଲା । ଏହା କମି ୬୪% ଆସିଛି । ଆଗକୁ ନିଅଣ୍ଟିଆ ବର୍ଷା ସ୍ଥିତି ସୁଧୁରିବ ।

Leave A Reply

Your email address will not be published.