ନୂଆଦିଲ୍ଲୀ: କଥାରେ ଅଛି କାହାର ବର୍ତ୍ତମାନକୁ ଦେଖି କେବେ କାହାର ଭବିଷ୍ୟତ ଆକଳନ କରାଯାଏନି। ଯେଉଁ ପିଲା ଛୋଟ ବେଳେ ଭଲ ପଢୁଛି ସେ ଯେ ବଡ଼ ହେଲେ ଜଣେ ବଡ଼ ଅଧିକାରୀ ବନିବ ଓ ଯିଏ ପଢ଼ାରେ ଦୁର୍ବଳ ଅଛି ସେ କିଛି ବନିପାରିବନି ସେପରି କିଛି ବି ନାହିଁ। ମଣିଷର ଚେଷ୍ଟା ମଣିଷକୁ କିଛି ବି ବନାଇପାରେ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଉତ୍ତରାଖଣ୍ଡର ଆଇଏଏସ୍ ଦୀପକ ରାୱତ। ସେ ନିଜେ ତାଙ୍କର ଏକ ସାକ୍ଷାତ୍କାରରେ କହିଛନ୍ତି କି ପିଲାଦିନେ ସେ ପାଠ ପଢ଼ାରେ ଟିକେ ଦୁର୍ବଳ ଥିଲେ। ତାପରେ ବି ସେ ବଡ଼ ହୋଇ ଜଣେ ଆଇଏଏସ୍ ଅଧିକାରୀ ବନିପାରିଛନ୍ତି। ପିଲାଦିନେ ତାଙ୍କ ଦ୍ବାରା ପାଠ ହେଉନଥିବା କାରଣରୁ ସେ ଜଣେ କବାଡ଼ିବାଲା ବନିବାକୁ ଇଚ୍ଛା ରଖିଥିଲେ ବୋଲି ସେ ତାଙ୍କ ସାକ୍ଷାତ୍କାରରେ କହିଛନ୍ତି। ଏବେ ଦୀପକ ଜଣେ ଜଣାଶୁଣା ଆଇଏଏସ୍ ଅଧିକାରୀ। ସୋସିଆଲ୍ ମିଡିଆରେ ସେ ଖୁବ୍ ଲୋକପ୍ରିୟ। ଦୀପକ ଯେପରି ଭାବେ ଫିଲ୍ଡ ଭିଜିଟ୍ କରିଥାନ୍ତି ସେ ସବୁ ଭିଡିଓ ୟୁଟ୍ୟୁବ୍ରେ ବେଶ୍ ଚର୍ଚ୍ଚା ପାଲଟିଥାଏ। ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସାକ୍ଷାତ୍କାର ଦେଇ କହିଛନ୍ତି କି ତାଙ୍କୁ କବାଡ଼ିବାଲା ବନିବାକୁ ଆହୁରି ଏକ କାରଣରୁ ବି ଇଚ୍ଛା ହେଉଥିଲା। କବାଡ଼ିବାଲା ବନିଲେ ବିଭିନ୍ନ ପ୍ରକାର ସାମଗ୍ରୀ ତାଙ୍କ ନିକଟକୁ ଆସିବ, ସେ ବିଭିନ୍ନ ଆଡକୁ ଯାଇପାରିବେ। ଏପରି ସବୁ ଚିନ୍ତା କରି ସେ କବାଡ଼ିବାଲା ବନିବାକୁ ଇଚ୍ଛା ରଖିଥିଲେ।